ତିନିରଥର ଦୁଆରବେଢା ପ୍ରସ୍ତୁତ ହେବା ସହ ପଟା ବାଡ଼ିଆ ଓ ତାଗ ବାଡ଼ିଆ କାର୍ଯ୍ୟ ଜାରିରହିଛି । ସେପଟେ ଚିତ୍ରକର ସେବାୟତ ମାନେ ତିନିରଥର ବାହ୍ୟ ଅଂଶର ରଙ୍ଗ କାର୍ଯ୍ୟ କରିବା ସହ ରଥପାର୍ଶ୍ଵ ଦେବାଦେବୀ, ସଖୀ,ଓଲଟ ଶୁଆ,ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ନବଦିନାତ୍ମକ ଯାତ୍ରା ପାଇଁ ସରିଛି ପୋଲିସ ଓ ଟ୍ରାଫିକ ସମୀକ୍ଷା ବୈଠକ । ନବଦିନାତ୍ମକ ଯାତ୍ରାରେ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ଏଥିସହ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ଵରେ ରହିବେ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ । ପୋଲିସ ଏଡିଜି ଅମିତାଭ୍ ଠାକୁରଙ୍କ ଅଧ୍ୟକ୍ଷତାରେ ସରିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ଜନଗହଳି ନିୟନ୍ତ୍ରଣ ସହ ଟ୍ରାଫିକ ସୁପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଘୋଷଯାତ୍ରା ସମୟରେ ଭୁବନେଶ୍ୱରରୁ ପୁରୀ, କୋଣାର୍କରୁ ପୁରୀ ଏବଂ ବ୍ରହ୍ମଗିରିରୁ ପୁରୀ ଆସୁଥିବା ଭକ୍ତ ଶ୍ରଦ୍ଧାଳୁମାନଙ୍କ ଯେଭଳି କୌଣସି ଅସୁବିଧା ନହେବ ଏବଂ କେଉଁ ସ୍ଥାନରେ ନିଜନିଜ ଗାଡ଼ି ପାର୍କିଂ କରିପାରିବେ ସେନେଇ ଏକ ଭିଡିଓ ପୋଲିସ ପକ୍ଷରୁ ଜାରି କରାଯିବ ବୋଲି କହିଛନ୍ତି ଏଡିଜି । ଏଥିସହ ପୁରୀ ସହର, ଶ୍ରୀମନ୍ଦିର ଭିତର, ବାହାର ଓ ଏହାର ଚତୁଃପାର୍ଶ୍ଵ ସହ ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା, ପୋଲିସ କଣ୍ଟ୍ରୋଲ ରୁମ୍ ସହ ଅନ୍ୟାନ୍ୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ଏଡିଜି । ଯେତିକି ପାଖେଇ ଆସୁଛି ଘୋଷଯାତ୍ରା,ସେତିକି ଚଳଚଞ୍ଚଳ ହେଉଛି ଶ୍ରୀକ୍ଷେତ୍ର ।