ବିଏସସିଏଲ ପକ୍ଷରୁ ସହିଦନଗର ଓ ରାଜମହଲରେ ଥିବା ବହୁତଳ କାର ପାର୍କିଂ ଖୋଲିଛି। ପାର୍କିଂ ଖୋଲିବା ଆରମ୍ଭରୁ ହିଁ କେଁ ଉଠିଛି। ବିଏସସିଏଲର ମନଇଚ୍ଛା ଗାଡ଼ି ପାର୍କିଂ ଫି ଆଦାୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ। ବିଏସସିଏଲ ପକ୍ଷରୁ ପାର୍କିଂ ପାଇଁ ଦର ନିର୍ଦ୍ଧାରଣ କରାଯାଇଛି। ପ୍ରତି ବାଇକ ପିଛା ଘଣ୍ଟାକୁ ୨୦ଟଙ୍କା ଆଦାୟ ହେବ। ସେହିପରି କାର ପିଛା ଘଣ୍ଟାକୁ ୪୦ ଓ ପରଘଣ୍ଟାକୁ ୬୦ଟଙ୍କା ଆଦାୟ କରାଯିବ। ପୂର୍ବରୁ ବିଏମସି ପକ୍ଷରୁ କାର ପିଛା ୨୦ଟଙ୍କା ଆଦାୟ କରାଯାଉଥିବାବେଳେ ଏବେ ଦର ଦୁଇଗୁଣା ଅଧିକ ବଢ଼ିଯାଇଛି। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ମନଇଚ୍ଛା ଟଙ୍କା ଆଦାୟ କଲେ ସାଧାରଣ ଲୋକଙ୍କ ପକେଟକୁ ମାଡ଼ ହେବ ବୋଲି ଅଭିଯୋଗ ହୋଇଛି। କିଛି ନିଷ୍ପତ୍ତି ଅଧିକାରୀମାନେ ମନଇଚ୍ଛା ନେଉଛନ୍ତି। ତେବେ ପାର୍କିଂ ଦର ନିର୍ଦ୍ଧାରଣ ପୂର୍ବରୁ ସାଧାରଣ ଲୋକଙ୍କ ମତାମତ ନିଆଯାଇଥିଲା କି ବୋଲି ପ୍ରଶ୍ନ ଉଠୁଛି। ସେପଟେ ଏବେ ବହୁତଳ ପାର୍କିଂ ଖୋଲିବା ପରେ ଏବେ ଏଜିରୁ ରାଜମହଲ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ରଖିଲେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି। ଏହି ପାର୍କିଂ ଖୋଲିବାପରେ ବହୁ ଲୋକ ଉପକୃତ ହେବା ସହ ୧୦ବର୍ଷ ଧରି ଲାଗିରହିଥିବା ଟ୍ରାଫିକ ଜାମ ପରିସ୍ଥିତି ହଟିବ। ୭ମହଲା ବିଶିଷ୍ଟ ଏହି କାର ପାର୍କିଂରେ ଏକାଥରେ ୭୦୦ କାର ଏବଂ ବାଇକ ରହିପାରିବ। ସେହିପରି ପାର୍କିଂରେ ଇ-ଚାର୍ଜିଂ ଷ୍ଟେଶନ କରାଯାଇଛି।
ଓଡିଶା ଖବର ଆହୁରି ପଢନ୍ତୁ