ଏଏସଆଇର ବିନା ସ୍ୱୀକୃତିରେ ପ୍ରଥମେ ସୂର୍ଯ୍ୟ ମନ୍ଦିର ଆଗରୁ ବାଲି ଖାଲି କରି ଦେଇଥିଲେ କିଛି ବାଲି ମାଫିଆ l ଖାଲି ସେତିକି ନୁହେଁ ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବ ତପସ୍ୟା କରିଥିବା ବାଲିବନ୍ତକୁ ମାଫିଆ ଲୁଟି ନେଇଥିଲେ । ଆଉ ଏବେ ଚନ୍ଦ୍ରଭାଗା କୂଳ ଉପରେ ନଜର । ପ୍ରଶାସନର କାର୍ଯ୍ୟାଳୟ ଠାରୁ ମାତ୍ର ୧୦୦ ମିଟର ଭିତରେ ଏହି ଲୁଟ ଚାଲୁଥିବା ବେଳେ ପ୍ରଶାସନ ଜାଣି ପାରୁନି କେମିତି ? ସେପଟେ ଜିଲ୍ଲାପାଳଙ୍କ ଚିରାଚରିତ ଉତ୍ତର ଘଟଣା ଉପରେ ରହିଛି ନଜର ।
ସାରା ରାଜ୍ୟରେ ଲଘୁ ଖଣିଜ ସମ୍ପଦ ଲୁଟ୍ ହେଲେ ରାଜସ୍ୱ ବିଭାଗ ଚୁପ୍ । ରାଜ୍ୟ ରାଜକୋଷରେ ଲାଗୁଛି ଚୂନ ହେଲେ ରାଜସ୍ୱମନ୍ତ୍ରୀଙ୍କ ମୁହଁରେ ତୁଣ୍ଡି । ସାରା ରାଜ୍ୟରେ ଚାଲିଛି ଖୁଲମଖୁଲା ବାଲି ଓ ମୋରମ୍ ଲୁଟ । ହେଲେ ଅଚିନ୍ତାରେ ରାଜସ୍ୱ ବିଭାଗର କର୍ମଚାରୀ । ରାଜସ୍ୱ ବିଭାଗ କର୍ମଚାରୀଙ୍କ ଛତ୍ରଛାୟା ତଳେ ଚାଲିଛି ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ ।
କେବଳ କୋଣାର୍କ ନୁହେଁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଲୁଣା ନଦୀ ଅଞ୍ଚଳରୁ ଚାଲିଛି ବାଲି ଲୁଟ୍ । ଆଉ ଏଠି ବେଆଇନ୍ ଭାବେ ନଦୀଗର୍ଭକୁ ଖୋଳି ଡମ୍ପର, ଟିପର ଓ ହାଇୱା ମାଧ୍ୟମରେ ଚାଲିଛି ବାଲି ଲୁଟ୍ । ଗାଁ ରାସ୍ତା ସତେ ଯେମିତି ସାଜିଛି ଜାତୀୟ ରାଜପଥ । ଲୋକଙ୍କ ପ୍ରତିବାଦ ସତ୍ୱେ ମାଫିଆ ମାନେ ଦିନ ଦ୍ୱିପହରରେ ବାଲି ଲୁଟ୍ କରୁଛନ୍ତି । ଆଉ ଲୁଣା ନଦୀର ନଦୀବନ୍ଦ, ନଦୀଭିତରକୁ ଖୋଳିତାଡି ଲୁଟିବାରେ ଲାଗିଛନ୍ତି ମାଫିଆ । ହେଲେ ସବୁ ଦେଖି ନଦେଖିଲା ଭଳି ରହୁଛନ୍ତି ରାଜସ୍ୱ ବିଭାଗ କର୍ମଚାରୀ ।
ସାରା ରାଜ୍ୟରେ ମାତିଛନ୍ତି ବାଲିମାଫିଆ । ଲଘୁ ଖଣିଜ ସମ୍ପଦ ହେଉଛି ହରିଲୁଟ୍ । ଶାସକ ଦଳର ନେତାଙ୍କ ଛତ୍ରଛାୟା ତଳେ ଏହି ବଡ ଲୁଟ୍ ଚାଲିଥିଲେ ହେଁ ସବୁ ବୁଜି ଦେଇଛନ୍ତି ଆଖି । ବିଶେଷଜ୍ଞ ମାନଙ୍କ କହିବା କଥା ଖଣିଜ ଲୁଟ୍ ଠାରୁ ଲଘୁ ଖଣିଜ ସମ୍ପଦ ଅଧିକା ହୋଇଛି ଲୁଟ୍ ।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...