୧୨ ବର୍ଷର ପୁଅଟି ପାଇଁ ପ୍ରଭୁ ଅଲାରନାଥ କେତେବେଳେ ବନ୍ଧୁ ତ କେତେବେଳେ ଇଷ୍ଟଦେବ। ହେଲେ ଭଲ ପାଇବା ପାଖରେ ଏ ସବୁ ସମ୍ପର୍କର ମାନେ କ’ଣ ଯେ ?
ତେଣୁ ସେ ନିଇତି ଦେଉଳ ଯାଏ, ଅଲାରଙ୍କ ସହ ଗପ କରେ, ତାଙ୍କୁ ଗୀତ ଶୁଣାଏ। ଦୁହେଁ ବନ୍ଧୁ ପାଲଟି ଯାଆନ୍ତି। ଶ୍ରୀଅଙ୍ଗ ଛୁଇଁ ସେ ନାଚ କରେ। ଆଉ ପ୍ରଭୁ ବି ଏ ମୂହୁର୍ତ୍ତରେ ବିଭୋର ହୁଅନ୍ତି।
ଦିନେ ବ୍ରାହ୍ମଣ ତୀର୍ଥ ଯାତ୍ରାରେ ବାହାରିଲେ। ଘରେ ତାଙ୍କର ଏଇ କୁନି ପୁଅ ଆଉ ସ୍ତ୍ରୀ। ଉଭୟଙ୍କୁ କାନେ କାନେ କହିଗଲେ, ପ୍ରଭୁଙ୍କ ଖୀଆପିଆ କଥା ବୁଝିବୁ। ପ୍ରଭୁଙ୍କୁ ନ ଖୁଆଇ କେବେ ବି ଖାଇବୁନି।
ବାପାଙ୍କ କଥାକୁ ମୁଣ୍ଡ ଟୁଙ୍ଗାରୀ ହଁ ମାରିଲା ପୁଅ।
ତହିଁ ପରଦିନ ସକାଳୁ। ବ୍ରାହ୍ମଣୀ ରାନ୍ଧିଥିବା ପ୍ରସାଦ ଧରି କୁନି ବ୍ରାହ୍ମଣ ଦେଉଳକୁ ଗଲେ। ଦିଅଁକୁ ଦେଖି ହସିଲେ। କବାଟ ଆଉଜେଇ କହିଲେ…
“ଆସ ଅଲାରେ ଖାଅ ଖିରି, ବାପା ଯାଇଛନ୍ତି ତୀର୍ଥ କରି”।
ଆଉ ଏହି କଥା କହି ସେ ମନ୍ଦିର ଦୁଆର ବନ୍ଦ କରି ବାହାରକୁ ଖେଳିବାକୁ ଚାଲି ଯାଆନ୍ତି। ବାପାଙ୍କ କଥା ରଖି ଠାକୁର ନ ଖାଇବା ଯାଏ ସେ ଫେରନ୍ତି ନାହିଁ। ପିଲାଟିର ଭକ୍ତି ଦେଖି ପ୍ରଭୁ ଅଲାରନାଥ ସବୁଦିନ ଖିରି ପ୍ରସାଦ ଖାଇ ଦିଅନ୍ତି ଆଉ ସେ ବ୍ରାହ୍ମଣ ବାଳକଟି ଖାଲି ପାତ୍ର ଧରି ଘରକୁ ଫେରେ।
ଭୋଗ ନ ଆଣି ଖାଲି ପାତ୍ର ଧରି ଆସୁଥିବାରୁ ତା ମା’ ଚିନ୍ତିତ ହୋଇପଡନ୍ତି। ତୀର୍ଥରୁ ଫେରିବା ପରେ ବ୍ରାହ୍ମଣ ଜଣକ ଏ କଥା ଶୁଣି ପୁଅ ମିଛ କହୁଛି ଭାବି ମାଡ ମାରିଲେ। ତଥାପି କୁନି ବ୍ରାହ୍ମଣଙ୍କ ଗୋଟିଏ ଜିଦ୍। ମୋ ଅଲାରେ ଖିରି ଖାଆନ୍ତି।
ପୁଅ କଥାର ସତ୍ୟତା ପରଖିବାକୁ ବ୍ରାହ୍ମଣ ବାହାରିଲେ ଦେଉଳକୁ। ଭୋଗଲାଗିବା ପରେ ଗର୍ଭଗୃହକୁ ଲୁଚି ଲୁଚି ପ୍ରବେଶ କଲେ। ଭିତରେ ଜଣେ କଳା ପୁରୁଷ, ପ୍ରସାଦ ସବୁ ଖାଇବାକୁ ଖିରୀରେ ହାତ ପୁରାଇଲେ। ବ୍ରାହ୍ମଣ ହାତ ଧରିପକାଇଲେ। କଳା ପୁରୁଷ ରୂପି ଅଲାରେ ଅନ୍ତଧ୍ୟାନ ହେଲେ, ପ୍ରଭୁଙ୍କ ପଥର ବିଗ୍ରହର ଅଧର ପୋଡିଗଲା। ବ୍ରାହ୍ମଣ ପ୍ରଭୁଙ୍କ ପାଦତଳେ ପଡି କ୍ଷମା ମାଗିଲେ। ଛୋଟିଆ ପିଲାଟିର ବନ୍ଧୁତାକୁ ଗ୍ରହଣ କରି ପ୍ରଭୁଙ୍କ ଏ ଲିଳା ଆଜି ବି କାହାଣୀ ହେଇ ବୁଲୁଛି।
ଆଉ ଆମ ଜଗନ୍ନାଥ ସଂସ୍କୃତିରେ ଏ କଥା ଆଜି ପିଲାଖେଳ ବେଳେ ବ୍ୟବହାର ହେଉଛି, ଆସ ଅଲାରେ ଖାଅ ଖିରି, ବାପା ଯାଇଛନ୍ତି ତୀର୍ଥ କରି।