ଏଥର ପଞ୍ଚାୟତ ନିର୍ବାଚନ ଫଳ ଚମକେଇଦବ । ଆମ ଦଳ ମାନେ, କଂଗ୍ରେସ ୨ୟ ସ୍ଥାନକୁ ଆସିବ। ୨୦୦ ରୁ ଅଧିକ ଜିଲ୍ଲା ପରିଷଦ ଆସନରେ ବାଜିମାତ କରିବ କଂଗ୍ରେସ। ଅସୁସ୍ଥ ଥିଲେ ମଧ୍ୟ ପିସିସି ସଭାପତିଙ୍କ କଲମ ଚାଲିଛି ଆଉ ଏପଟେ ବିଡା(ଟଙ୍କା) ବି ଛଡା ହେଉଛି। ସେଥିପାଇଁ ଆମର ସେକେଣ୍ଡ ହବାଟା ଥୟ।
ନିଜ ଢ଼ଙ୍ଗରେ ଏମିତି କହି ଭବିଷ୍ୟବାଣୀ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ।
ପୂର୍ବତନ ପିସିସି ସଭାପତି ତଥା ଜୁଆଇଁ ପୁଅ ପ୍ରସାଦଙ୍କ କଥା ବି ଉଠାଇଛନ୍ତି ସୁର। ପ୍ରସାଦଙ୍କ ବିଜେଡିରେ ମିଶିବା ଚର୍ଚ୍ଚାକୁ ନେଇ କହିଛନ୍ତି ‘ପ୍ରସାଦ ଜଣେ ସ୍ୱାଧୀନତା ସଂଗ୍ରାମୀ ଘରର ପୁଅ। କଂଗ୍ରେସରୁ ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି । ଏଥିପାଇଁ ପ୍ରସାଦ କଂଗ୍ରେସ ଛାଡିବେନି। ଶ୍ୱଶୁର ହିସାବରେ ମୁଁ ରାଜନୀତି ବିଷୟରେ ତାଙ୍କ ସହ ଆଲୋଚନା କରେନି। ତାଙ୍କର ମନାନ୍ତର ଥାଇପାରେ। କିନ୍ତୁ ଏ ନେଇ ମୁଁ ତାଙ୍କ ସହ ଆଲୋଚନା କରିବି।’
ଅନ୍ୟପକ୍ଷରେ ସୁର ଶାସକ ଦଳ ନାଁରେ ସାଂଘାତିକ ଅଭିଯୋଗ ମଧ୍ୟ କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳର ବିଭିନ୍ନ ପ୍ରାର୍ଥୀଙ୍କୁ ଧମକାଇ ଚମକାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଛି ଶାସକ ଦଳ । ଯାଜପୁର, ବରଗଡ଼, ଝାରସୁଗୁଡା, ମାଲକାନଗିରି ସମେତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଏହିପରି କରାଯାଉଥିବା ସେ ଆଭିଯୋଗ କରିଛନ୍ତି।