ଏବେ ନଜର ପକାନ୍ତୁ ବିଜେଡିର 2019 ନିର୍ବାଚନୀ ଇସ୍ତାହାର ଉପରେ। ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି ଭୁଶୁଡି ପଡିଥିବା ବେଳେ ଗୁଡ୍ ଗଭର୍ଣ୍ଣାସର କଥା କହି ରାଜ୍ୟ ସରକାର ପ୍ରଂଶସା ସାଉଣ୍ଟିବାରେ ବ୍ୟସ୍ତ। ସେପଟେ ରାଜ୍ୟ ସରକାରଙ୍କ ମିଛ ବିକାଶର ପୋଲ ଖୋଲୁଛି ତୃଣମୂଳ ସ୍ତରରେ ଅସଜଡା ଭିତ୍ତିଭୂମି। ସରକାରକୁ ଆସିଲେ କେଉଁ ସବୁ କାମ ପ୍ରଥମେ କରାଯିବ ବୋଲି କୁହାଯାଇଥିଲା ଏ ହେଉଛି ତାହାର ଲିଷ୍ଟ । କୃଷକଙ୍କ ହିତ ପାଇଁ କାଳିଆ କମିଶନ ଗଠନ, କାଳିଆ ପାଉଥିବା କୃଷି ପରିବାର ଝିଅ ଲାଗି ଆମ ଝିଅ ଯୋଜନାରେ 25 ହଜାରର ବାହାଘର ସହାୟତା,ଝିଅ ମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ, ସୁନା କନିଆ ଯୋଜନା ଗରିବ ପରିବାର ଝିଅଙ୍କ ବାହାଘର ଲାଗି 25 ହଜାର ଟଙ୍କା ପ୍ରଦାନ, ପ୍ରତି କମ୍ପାନୀରେ ସ୍ଥାନୀୟ ଅଞ୍ଚଳର 75 ପ୍ରତିଶତ ଯୁବକଙ୍କୁ ନିଯୁକ୍ତି ଦେବା ଭଳି ପ୍ରତିଶ୍ରୁତି । ଏହାବାଦ୍ ସମସ୍ତ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବା, ଓଡିଶାକୁ ଡାକ୍ତରଙ୍କ ବଳକା ରାଜ୍ୟ କରିବା, 314 ବ୍ଲକରେ ନର୍ସିଂ ଟ୍ରେନିଂ ସ୍କୁଲ ଖୋଲିବା, ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ବିଭାଗ ଖୋଲିବା,ଆମ ଗାଁ ଆମ ବିକାଶ ଯୋଜନାକୁ ଚାଲୁ ରଖିବା କଥା ବି କୁହାଯାଇଥିଲା । ସେହିପରି କଟକ ଓ ଭୁବନେଶ୍ବରରୁ ମେଟ୍ରୋ ଟ୍ରେନ ଚଳାଇବା, 750 ବିଜୁ ସେତୁ ନିର୍ମାଣ କରିବା ଓ ପ୍ରତି ଜିଲ୍ଲାରେ ଜିଲ୍ଲା ପର୍ଯ୍ୟଟନ ପିରଷଦ ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେଡି । ମାତ୍ର ଏ ସବୁ କାର୍ଯ୍ୟ ଆଗେଇବ କଣ ଓଲଟା କାର୍ଯ୍ୟକ୍ରମ ବନ୍ଦ ହେବାରେ ଲାଗିଛି ।
ଏ ସବୁ ବାଦ୍ 2005-06ରେ ସରକାର କହିଥିଲେ 5 ବର୍ଷ ଭିତରେ ସମସ୍ତ 314 ବ୍ଲକର 35 ପ୍ରତିଶତ ଜମିରେ ଜଳସେଚନ କରିବେ । ତେବେ ଦୀର୍ଘ ବର୍ଷ ପରେ ଏବେ ବି 69 ବ୍ଲକରେ ହୋଇ ପାରନି 35 ପ୍ରତିଶତ ଜଳଚେସନ । ସେହିପରି 10 ଟି ବୃହତ, 9 ଟି ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟ 20 ବର୍ଷରୁ ଅଧିକ ସମୟ ଧରି ଚାଲୁଥିଲେ ବି ଶେଷ ହେଉନାହିଁ। ଖାଲି ସେତିକି ନୁହେଁ 189 ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କେବେ ସରିବ ତାର ଉତ୍ତର ରାଜ୍ୟ ସରକାରଙ୍କ ପାଖରେ ବି ନାହିଁ । ଏବେ ବି ଅନେକ ଗାଁରେ ପହଞ୍ଚିନି ପାଇପ ଯୋଗେ ବିଶୁଦ୍ଧ ପିଇବା ପାଣି ସୁବିଧା। ଗାଁକୁ ନାଁହି ସବୁଦିନିଆ ରାସ୍ତା । ତେଣୁ ପ୍ରତିଶ୍ରୁତିର ବମ୍ବେ ଲଡୁ ବାଣ୍ଟି ୨୦୧୯ରେ ସତ୍ତା ବିଜେଡି ପ୍ରକୃତରେ ତାକୁ ପୂରଣ କରିବାର କେତେ ସଫଳ ଏ ହେଉଛି ତାର ଉତ୍ତର ।