ଦାବି ଅନୁଯାୟୀ, ଅମ୍ବିକାଦେଈପୁର ରାଜସ୍ବ ଗ୍ରାମର ଅନେକ ଅଂଶ ଜାମପାଣି ବନ ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲ ପରିସର ମଧ୍ୟରେ ଯାଉଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ୨୮ଟି ଲୋଧା ଜନଜାତି ପରିବାରକୁ ଉଚ୍ଛେଦ କରାଯାଇଛି। ଲୋଧା ଜନଜାତି ପରିବାର ଏଠାରେ ବାସଗୃହ କରି ଜୀବନ ଜୀବିକା ପାଇଁ ଚାଷ ତଥା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି। ଏହାଛଡା ଜୀବନ ଜୀବିକା ପାଇଁ ଅନ୍ୟ କୌଣସି ବିକଳ୍ପ ପନ୍ଥା ସେମାନଙ୍କ ନିକଟରେ ନାହିଁ । ହେଲେ ଜଙ୍ଗଲ ବିଭାଗ ବେଆଇନ ଭାବେ ଉଚ୍ଛେଦ କରି ସେମାନଙ୍କୁ ବେସାହାରା କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ ବିଭାଗ ଲଗାତାର ଭାବେ ଜଙ୍ଗଲ ଅଧିକାର ଆଇନର ଧାରା ୪(୫) ର ଉଲ୍ଲଙ୍ଘନ କରି ଉଚ୍ଛେଦ କରିଛି। ଏସ.ସି ଏସ.ଟି ନିର୍ଯାତନା ନିବାରଣ ଆଇନର ଧାରା ୩(୫) ଅନୁଯାୟୀ ଏହା ବନ ବିଭାଗର ଏକ ଦଣ୍ଡନୀୟ ଅପରାଧ ବୋଲି ଅଭିଯୋଗରେ ଦର୍ଶାଇ ଗ୍ରାମବାସୀ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୁଲିସ ଏତଲାକୁ ଗ୍ରହଣ କରିନାହିଁ । ଏହାର ସମାଧାନ ନେଇ ବାରମ୍ବାର ଦାବି କରିଥିଲେ ସୁଦ୍ଧା ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ବନ ବିଭାଗ ପକ୍ଷରୁ ଘରକୁ ଭାଙ୍ଗିବା ସହ ପୁରୁଷ ଓ ମହିଳା ଉଭୟଙ୍କୁ ଗ୍ରାମ ଛାଡି ଯିବା ପାଇଁ ଗାଳିଗୁଲଜ କରି ଧମକ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ପୂର୍ବରୁ ୨୮ଟି ଘର ଉଚ୍ଛେଦ ହୋଇଥିବା ବେଳେ ଏବେ ଅବଶିଷ୍ଟ ଉଚ୍ଛେଦ କରିବା ନେଇ ବନ ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଛି । ଘର ଭାଙ୍ଗିଦେଲେ ଏହି ପରିବାରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗାଟିଏ ବି ରହିବ ନାହିଁ । ସମସ୍ତେ ଜୀବନ ଜୀବିକା ହରାଇବା ସହ ବେସାହାରା ହୋଇଯିବେ। ଏଣୁ ସମସ୍ୟାର ସମାଧାନ କରି ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରି ଘରଭଙ୍ଗା ପାଇଁ କ୍ଷତିପୂରଣ ପ୍ରଦାନ, ଜଙ୍ଗଲ ଜମିକୁ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଜମି ପ୍ରମାଣପତ୍ର ପ୍ରଦାନ, ଜଙ୍ଗଲ ଅଧିକାର ଆଇନର ଧାରା ୩ (୧) ଅନୁଯାୟୀ ଜାମପାଣି ବନଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରାଯାଉ ବୋଲି ଦାବି କରିଛନ୍ତି । ଅଭିଯୋଗ ନେଇ ଆସିଥିବା ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଦେଖାନପାଇ ଦାବିପତ୍ର ଟିକୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମଚନ୍ଦ୍ର ସୋରେନଙ୍କୁ ପ୍ରଦାନ କରିଛନ୍ତି। ଏନେଇ ଅଧିକାରୀ କେମେରା ସମ୍ମୁଖରେ କିଛି ପ୍ରକାଶ କରିନଥିବା ବେଳେ ଖୁବଶୀଘ୍ର ତଦନ୍ତ କରାଯିବ ଏବଂ ନ୍ୟାୟ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର...