ଅମିତ ରୋହିଦାସ ଭାରତୀୟ ପୁରୁଷ ରାଜ୍ୟଗୋଷ୍ଠୀ ଦଳରେ ଥିଲାବେଳେ ଦୀପଗ୍ରେସ୍ ଏକ୍କା ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଭାରତୀୟ ମହିଳା ବିଶ୍ୱକପ୍ ଦଳରେ ସ୍ଥାନ ପାଇଛନ୍ତି । ଯାହା ରାଜ୍ୟରେ ହକି ବିକାଶର ଯୋଜନା ତଥା ରଣନୀତି ଉପରେ ପ୍ରଶ୍ନ ଚିହ୍ନ । ୨୦୧୮ରେ ଭାରତୀୟ ବିଶ୍ୱକପ୍ ଦଳରେ ସର୍ବାଧିକ ୪ ଜଣ ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ସୁନିତା ଲାକ୍ରା ଏବଂ ଲିଲିମା ମିଞ୍ଜ୍ ସ୍ଥାନ ପାଇଥିଲେ । ଏବେ କେବଳ ଦୀପଗ୍ରେସ ହିଁ ଟିମରେ ସ୍ଥାନ ପାଇଛନ୍ତି ।
ଏଥର ଭାରତୀୟ ପ୍ରଶିକ୍ଷଣ ଶିବିରରେ ଦୀପଗ୍ରେସଙ୍କ ସହିତ ନମିତା ଟପ୍ପୋ, ରଶ୍ମିତା ମିଞ୍ଜ୍ ଓ ମାରିଆନା କୁଜୁର ଥିଲେ । କିନ୍ତୁ ଆଉ କାହାକୁ ଟିମରେ ସ୍ଥାନ ମିଳିନି । ତୃଣମୂଳ ସ୍ତରରେ ମହିଳା ହକିକୁ ଅଣଦେଖା ଓ କ୍ୟାରିଅର ଆରମ୍ଭରୁ କୌଣସି ଉଚ୍ଚସ୍ତରୀୟ ପ୍ରତିଯୋଗିତାର ଆୟୋଜନ ହେଉନଥିବାରୁ ଆମ ଖେଳାଳି ଇଣ୍ଟରନ୍ୟାସନାଲ ଟିମରେ ସ୍ଥାନ ପାଉନଥିବା କୁହାଯାଉଛି । ତେଣୁ ରାଜ୍ୟ ସରକାର କେବଳ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ବାହା ବାହା ଲୁଟିବା ବଦଳରେ ତୃଣମୂଳସ୍ତରରେ ହକିର ବିକାଶ କଥା ଚିନ୍ତା କରିବାର ଆବଶ୍ୟକତା ରହିଛି ।