ଆୟୁର୍ବେଦ, ଧର୍ମଶାସ୍ତ୍ର ଉପରେ ଥିଲା ତାଙ୍କର ଅଗାଧ ପାଣ୍ଡିତ୍ୟ । ଏଥିପାଇଁ ପୁରୀର ଗଜପତି ମହାରାଜା ଦ୍ୱିତୀୟ ଦିବ୍ୟସିଂହ ଦେବ ତାଙ୍କୁ ରାଜଗୁରୁ ପଦରେ ନିଯୁକ୍ତ କରିଥିଲେ । ଦିବ୍ୟସିଂହ ଦେବଙ୍କ ମୃତ୍ୟୁ ପରେ ଖୋର୍ଦ୍ଧା ସିଂହାସନ ଅଧିକାର ପାଇଁ ତାଙ୍କ ସାନ ଭାଇ ଇଂରେଜମାନଙ୍କ ସହାୟତାରେ ଚକ୍ରାନ୍ତ କରିଥିଲେ ।
କିନ୍ତୁ ଜୟୀ ରାଜଗୁରୁ ସେମାନଙ୍କ ଚକ୍ରାନ୍ତ ପଣ୍ଡ କରିବା ସହ ଦିବ୍ୟସିଂହ ଦେବଙ୍କ ନାବାଳକ ପୁତ୍ର ଦ୍ୱିତୀୟ ମୁକୁନ୍ଦଦେବଙ୍କୁ ଖୋର୍ଦ୍ଧା ସିଂହାସନରେ ବସାଇଥିଲେ । ସେ ନାବାଳକ ଥିବାରୁ ରାଜ୍ୟ କାର୍ୟ୍ୟ ରାଜଗୁରୁ ଆପଣେ ନିଜେ ସମ୍ଭାଳିଥିଲେ ।
ଏକ ସମୟ ଥିଲା ଯେତେବେଳେ ଇଂରେଜମାନେ ଓଡ଼ିଶା ଅଧିକାର କରିବାକୁ ଚାହୁଁଥିଲେ । ଆଉ ମହରଟ୍ଟାମାନଙ୍କୁ ଓଡ଼ିଶାରୁ ହଟାଇବା ପାଇଁ ଖୋର୍ଦ୍ଧା ରାଜାଙ୍କ ସହାୟତା ଲୋଡିଥିଲେ । ଇଂରେଜ ସେନାଧ୍ୟକ୍ଷଙ୍କଠାରୁ ରାଜା ମୁକୁନ୍ଦ ଦେବଙ୍କୁ ମଧ୍ୟ ପ୍ରତିଶ୍ରୁତି ମିଳିଥିଲା ଯେ ଯୁଦ୍ଧରେ ସହାୟତା କଲେ ମହରଟ୍ଟାମାନେ ଛଡାଇ ନେଇଥିବା ଖୋର୍ଦ୍ଧା ରାଜ୍ୟର ରାହାଙ୍ଗ, ସରାଇ, ଚବିଶକୁଦ ଓ ଲେମ୍ବେଇ ପ୍ରଗଣା ଫେରିପାଇବେ ।
ରାଜା ଯୁଦ୍ଧରେ ଇଂରେଜମାନଙ୍କୁ ସହାୟତା କରିଥିଲେ ସତ ହେଲେ ସେମାନଙ୍କର ଚକ୍ରାନ୍ତ ଜାଣି ଇଂରେଜ ବିରୋଧୀ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିଲେ। ହେଲେ ଫିରିଙ୍ଗ କାନକୁ ଖବର ଗଲା।
ପରେ ଗଜପତି ମୁକୁନ୍ଦଦେବ ଓ ଜୟୀ ରାଜଗୁରୁଙ୍କୁ ବନ୍ଦୀ କରାଯାଇଥିଲା । ତତ୍କାଳୀନ ବାଲେଶ୍ବର ଜିଲ୍ଲା ଯାହା ବର୍ତ୍ତମାନ ମେଦିନୀପୁର ଥିବା କାରାଗରରେ ଉଭୟଙ୍କୁ ରଖାଯାଇଥିଲା ।
ଆଉ ବିଚାର ସମୟରେ ନାବାଳକ ରାଜାଙ୍କୁ ବଞ୍ଚାଇବା ଲାଗି ଜୟୀ ରାଜଗୁରୁ ସମସ୍ତ ଦୋଷ ନିଜ ମୁଣ୍ଡକୁ ନେଇଥିଲେ । ବ୍ରିଟିସ ସରକାର ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ମେଦିନୀପୁର ନିକଟବର୍ତ୍ତୀ ବାଜିତୋଟାର ଗୋଟିଏ ଝଙ୍କାଳିଆ ବରଗଛ ଡାଳରେ ତାଙ୍କର ଦୁଇ ଗୋଡ ବାନ୍ଧି ଦୁଇଫାଳ କରି ଦିଆ ଦିଆଯାଇଥିଲା । ଦିନଟି ଥିଲା ୧୮୦୬ ମସିହା ଅଗଷ୍ଟ ୯ ତାରିଖ। ସହିଦ ହୋଇଥିଲେ ଗଜପତିଙ୍କ ରାଜଗୁରୁ। ହୁଏତ ନିୟତି କହୁଥିଲା ଏହି ଅଗଷ୍ଟ ୯ରେ ହିଁ ପୁନଜନ୍ମ ଲାଭ କରିବ ‘ସ୍ୱାଧୀନତାର କ୍ରାନ୍ତି’।
ଆଜି ସେହି ମହାନ୍ କ୍ରାନ୍ତି ପୁରୁଷଙ୍କୁ ଅର୍ଗସ୍ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ।