ସ୍ବର୍ଗତ ଗଗନ ସାହୁଙ୍କ ମୃତ୍ୟୁ ପରେ ସ୍ତ୍ରୀ ଜାନକୀ ବେସାହାରା ହୋଇ ପଡ଼ିଥିଲେ। ବୃଦ୍ଧା ମା’ ଜଣକ ବନ୍ଧୁ ବାନ୍ଧବ ଙ୍କ ଦ୍ଵାରା ଆପୋଷ ସମାଧାନ ହୋଇ ପୁଅ ମାନଙ୍କ ପାଖରେ ରହୁଥିଲେ । ମାତ୍ର ପୁଅ ବୋହୁଙ୍କ ନିର୍ଯାତନା ତାଙ୍କ ମାତୃତ୍ଵକୁ ଧିକ୍କାର କରୁଛି । ସୂଚନା ଥାଉ କି ସିଂଲା ଗ୍ରାମର ଗଗନ ସାହୁଙ୍କ ଦୁଇ ପୁଅ ହେଲେ ସରୋଜ ଏବଂ ଜଗନ୍ନାଥ । ଗଗନ ଗରିବ ପରିବାରର ହୋଇଥିବାରୁ ପରଘରେ ମୁଲ ଲାଗିବା ସହିତ ମାଆ ଜାନକୀ ଲୋକଙ୍କ ଘରେ ବାସନ ମାଜିବା ସହିତ ମୁଢ଼ି ଭାଜି ଦୁଇ ପୁଅଙ୍କୁ ମଣିଷ କରିଥିଲେ । ବଡ଼ପୁଅ ସରୋଜକୁ ସିଂଲା ବଜାରରେ ଦୋକାନ କରିଥିବା ବେଳେ ସାନପୁଅ ଜଗନ୍ନାଥ ହାଇଦ୍ରାବାଦ ଏକ କମ୍ପାନୀରେ ଚାକିରି କରନ୍ତି । ସୁରୁଖୁରୁରେ ଚାଲୁଥିଲା ଗଗନଙ୍କ ପରିବାର। ମାତ୍ର ଦୁଇ ପୁଅଙ୍କ ବାହାଘର ହେବା ପରେ ଗଗନ ପରିବାର ଉପରେ ଘୋଟି ଆସିଲା କଳା ବାଦଲ । ଆରମ୍ଭ ହୋଇଗଲା ବାପା ମାଆଙ୍କ ଉପରେ ଅତ୍ୟାଚାର । ପୁଅ ବୋହୁଙ୍କ ଅତ୍ୟାଚାର ସହିନପାରି ସାତ ମାସ ତଳେ ବେସାହାରା ହୋଇ ଆଖି ବୁଜିଲେ ଗଗନ। ଗଗନଙ୍କ ମୃତ୍ୟୁ ପରେ ଜାନକୀଙ୍କ ଉପରେ ଆରମ୍ଭ ହେଲି ଶାରିରୀକ ଏବଂ ମାନସିକ ନିର୍ଯାତନା । ପୁରାପୁରି ବେସାହାରା ହୋଇ ପଡ଼ିଲେ ଜାନକୀ।
ବନ୍ଧୁ ବାନ୍ଧବ ଆପୋଷ ସମାଧାନ କରି ଛଅ ଛଅ ମାସ ଭାଗ କରିଦେଲେ ଜାନକୀଙ୍କୁ। ପ୍ରଥମ ଛଅ ମାସ ବଡ଼ପୁଅ ସରୋଜଙ୍କ ପାଖରେ ରହିବାର ଥିଲେ ମଧ୍ୟ ପୁଅବୋହୂ ନିର୍ଯାତନା ଦେଇ ସାନପୁଅ ଜଗନ୍ନାଥଙ୍କ ପାଖକୁ ପଠାଇ ଦେଲେ । ମାତ୍ର ସାନପୁଅ କିଛି ଦିନ ରଖିବା ପରେ ଆରମ୍ଭ କଲା ଅତ୍ୟାଚାର। ଅସହ୍ୟ ହୋଇଥିଲେ ବି ପଡି ରହିଥିଲେ କିନ୍ତୁ ଆଜି ସକାଳେ ପିଟା ମାରା କରିବା ସହିତ ତାଙ୍କର ଜିନିଷ ପତ୍ର ବାହାରକୁ ଫିଙ୍ଗି ଦେଇ ଧକ୍କା ମାରି ଘରୁ ବାହାର କରି ଦେଲା । ଅସହାୟ ହୋଇ କାନ୍ଦି କାନ୍ଦି ନ୍ୟାୟ ପାଇଁ ସିଂଲା ଥାନାର ଦ୍ବାରସ୍ଥ ହୋଇ ଥାନା ବାବୁଙ୍କୁ ଗୁହାରି କରିଛନ୍ତି ଜାନକୀ। ତେବେ ପ୍ରଶାସନ ଏ ବୃଦ୍ଧା ମା’ଙ୍କୁ କ'ଣ ନ୍ୟାୟ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ