ଅନେକ ବର୍ଷ ଧରି ଭଗ୍ନ ଅବସ୍ଥାରେ ପଡ଼ି ରହିବା ପରେ ୨୦୦୧ରେ ଏହି ଶୀତଳ ଭଣ୍ଡାରର ଯନ୍ତ୍ରାଂଶ ଟେଣ୍ଡର କରି ବିକ୍ରି କରାଗଲା ଓ ୨୦୦୬ରେ ଜୟପୁର ସହରର ମଧ୍ୟଭାଗରେ ଥିବା ଦୈନିକ ବଜାର ଅଞ୍ଚଳରେ କରାଗଲା ଆଉ ଏକ କୋଲ୍ଡ ଷ୍ଟୋରେଜ । ମାତ୍ର ତା ଅବସ୍ଥା ବି ଶୋଚନୀୟ । ସମାନ ଚିତ୍ର ଦେଖିବାକୁ ମିଳିଛି ବିବାଦୀୟ କୋଟିଆରେ । ଗତବର୍ଷ କୋଟିଆରେ ଏକ ଶୀତଳ ଭଣ୍ଡାର ନିର୍ମାଣ କରାଯାଇ ଉକ୍ତ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ଦୁଃଖର ବିଷୟ ଏଯାଏଁ ଉକ୍ତ ଶୀତଳ ଭଣ୍ଡାର ଅଞ୍ଚଳବାସୀଙ୍କ କାର୍ଯ୍ୟରେ ଲାଗିନଥିବା ଜଣାପଡିଛି। କୋରାପୁଟ ଜିଲ୍ଲାର ସବୁଠାରୁ ବଡ଼ ହାଟ ଓ ସପ୍ତାହରେ 5 ଦିନ ହାଟ ବସୁଥିବା କୁନ୍ଦୁଲିରେ କିନ୍ତୁ ଶୀତଳ ଭଣ୍ଡାରଟିଏ ନାହିଁ ଫଳରେ ସେଠାକାର ଚାଷୀ ଅଧିକାଂଶ ସମୟରେ ଅଭାବି ବିକ୍ରିର ସାମ୍ନା କରୁଛି |
ରାୟଗଡ଼ା ଜିଲ୍ଲାରେ ସ୍ଥିତି ସବୁଠୁ ସଙ୍ଗୀନ । 4 କୋଟି 38 ଲକ୍ଷ ବ୍ୟୟରେ ନିର୍ମିତ ଶୀତଳ ଭଣ୍ଡାର 1998ରେ ନିର୍ମାଣ ସରିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବୃଆରୀ ୪, ୨୦୧୩ରେ ଉଦଘାଟନ କରିଥିଲେ । ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ଛିଡ଼ା ହୋଇଛି ଶୀତଳ ଭଣ୍ଡାର । ଏହାର ଚାରିପାର୍ଶ୍ବରେ ଜଙ୍ଗଲ ଓ ଭିତରେ ଛିଡ଼ା ହୋଇଛି ଉଇହୁଙ୍କା | ପାଳଭୂତ ପରି ଛିଡ଼ା ହୋଇଥିବା କୋଠା ଉପରେ ଗଛ ଉଠିଯାଇଛି, ସରୀସୃପଙ୍କ ପାଇଁ ଭୂସ୍ୱର୍ଗ ଏବେ ଶୀତଳଭଣ୍ଡାର ପରିସର । କୃଷିକ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ। ପଡ଼ୋଶୀ ଆନ୍ଧ୍ରରେ ପାରମ୍ପରିକ ଧାନ ଚାଷ ଛାଡ଼ି ଉଦ୍ୟାନ କୃଷିକୁ ଗୁରୁତ୍ବ ଦିଆଯିବା ସହ କୃଷି ଭିତ୍ତିଭୂମିକୁ ଗୁରୁତ୍ବ ଦିଆଯିବାରୁ ଚାଷୀଙ୍କ ଆୟ ବଢିଛି। ପ୍ରଶ୍ନ ଉଠୁଛି, ଆମ ରାଜ୍ୟରେ ଶିଥିଳ ଶୀତଳଭଣ୍ଡାର ସବୁ କାର୍ଯ୍ୟକ୍ଷମ ହେବ କେବେ ?
ଅଧିକ ପଢ଼ନ୍ତୁ ଓଡିଶା ଖବର: