ଅଧିକ ପଢ଼ନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଏଥର ଦଶହରାରେ ଶବ୍ଦ ପ୍ରଦୂଷଣ ରୋକିବ କମିସନରେଟ ପୋଲି । ୬୫ ଡେସିବିଲରୁ ଅଧିକ ଶବ୍ଦ ହେଲେ ଜବତ ହେବ ସାଉଣ୍ଡ ବକ୍ସ, ରଦ୍ଦ ହେବ ଲାଇସେନ୍ସ । ନିୟମ ଖିଲାପକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆବଶ୍ୟକ ପଡିଲେ କରାଯିବ ଗିରଫଦାରୀ । ନିଶାମୁକ୍ତ ଭସାଣି, ଡିଜେ ମୁକ୍ତ ରୋଷଣୀ ନିଷ୍ପତ୍ତିକୁ ପୂଜା କମିଟିର ସ୍ବାଗତ... ପାରମ୍ପରିକ ବାଦ୍ୟଯନ୍ତ୍ର ଉପରେ ଅଧିକ କଟକଣା ନଲଗାଇବା ପାଇଁ ଅନୁରୋଧ ।
ଅଧିକ ପଢ଼ନ୍ତୁ ଓଡିଶା ଖବର...
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ୍ ନର୍ସରୀ ଫରେଷ୍ଟର୍ ସଞ୍ଜୟ ନାୟକ । ଏହି ମାମଲାର ଅଭିଯୁକ୍ତ ଡିଏଫଓ ଦେବେନ୍ଦ୍ର ବେହେରା ନିଲମ୍ବିତ ହୋଇଛି। ତେବେ ଦେବେନ୍ଦ୍ରଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ମୃତ ଫରେଷ୍ଟରଙ୍କ ପରିବାର। ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ଦୋଷୀକୁ ଛଡ଼ାଯିବନାହିଁ। ପୁଣି ଅଫିସରଙ୍କୁ କଡ଼ା ଚେତାବନୀ ଦେଇ ମନ୍ତ୍ରୀ କହିଛନ୍ତି, ତଳ କର୍ମଚାରୀଙ୍କ ଉପରେ ଚାପ ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଜାରିଂ ନର୍ସରୀରେ ଚାରା ଦୁର୍ନୀତି ଓ ପିସି କାରବାର ନେଇ ସଞ୍ଜୟଙ୍କୁ ବାରମ୍ବାର ପିସି ମାଗିବା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲେ ଡିଏଫଓ । ଯାହାର ଏକ ହାତ ଲେଖା ସୁଇସାଇଡ଼୍ ନୋଟ୍ ଛାଡି ଯାଇଥିଲେ ସଞ୍ଜୟ । ଭବାନୀପାଟଣା ସ୍ଥିତ ସରକାରୀ ବାସଭବନରେ ଛାନଭିନ୍ ପରେ ଆକ୍ସନ୍ ନେଇଛି ବିଭାଗ । ସେପଟେ ଘଟଣାରେ ପ୍ରତିକ୍ରିୟା ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ମାମଲା ଏବେ ବିଚାରାଧୀନ । ବିଭାଗ ତଦନ୍ତ କରୁଛି । ଦୋଷୀ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।. ୟେ ଘଟଣା ଜ୍ବଳନ୍ତ ଉଦାହରଣ ହେବ । ଯେଉଁମାନେ ଏହିଭଳି ଅସାମାଜିକ କାମ କିମ୍ବା ଦୁର୍ନୀତିରେ ଲିପ୍ତ ରହି ତଳ କର୍ମଚାରୀଙ୍କୁ ଚାପ ପକାଉଛନ୍ତି ।. ତାଙ୍କ ଉପରେ ଭବିଷ୍ୟତରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ ।
ଫରେଷ୍ଟର ସଞ୍ଜୟ ନାୟକଙ୍କ ମୃତ୍ୟୁକୁ ୧୯ ଦିନ ପୁରିଥିବାବେଳେ ନ୍ୟାୟ ଅପେକ୍ଷାରେ ପରିବାର । ମା, ବାପା ଏବଂ ବଡ଼ ଭାଇଙ୍କ ଆଖିରୁ ଶୁଖୁନି ଲୁହ । ସଞ୍ଜୟଙ୍କ ପତ୍ନୀ ଦୁଇ ଛୁଆଙ୍କୁ ଧରି ବାପଘରକୁ ପଳାଇ ଥିବାବେଳେ 60 ବର୍ଷୀୟ ରୋଗୀଣା ବୁଢା ବାପା ହୋଟେଲରେ କାମ କରି ପରିବାର ଚଳାଉଛନ୍ତି । ସଞ୍ଜୟଙ୍କ ସୁଇସାଇଡ଼ ନୋଟ୍ ଯାଞ୍ଚ ଏବଂ କ୍ରସ୍ ମ୍ୟାଚିଂ କରିବାକୁ ଦାବି କରିଛନ୍ତି । କେବଳ ନିଲମ୍ବନ ନୁହେଁ ଡିଏଫଓଙ୍କୁ ଗିରଫ କଲେ ହିଁ ସଞ୍ଜୟଙ୍କ ଆତ୍ମା ଶାନ୍ତି ପାଇବ କହିଛନ୍ତି ପରିବାର ଲୋକେ । ବିଜେଡି ଶାସନରେ ସୁପର ପାୱାର ପାଇଥିବା ଡିଏଫଓ ଦେବେନ୍ଦ୍ର ବେହେରା ସଞ୍ଜୟଙ୍କୁ ମାଗିଥିଲେ ପିସି । ପିସି ନଦେଲେ ବଦଳି ସହ ସସପେଣ୍ଡ କରିବା ନେଇ ଦେଉଥିଲେ ଧମକ । ସଞ୍ଜୟ ପ୍ରାୟ ୧୦ ଲକ୍ଷ ଟଙ୍କା ପିସି ଦେବା ସହ ରାୟଗଡ଼ା ଡିଏଫଓଙ୍କ ଘରେ ଏସି ଓ ବୋରୱେଲ ଖୋଳାଇ ଥିଲେ । ଏପରିକି ମନ୍ଦିର ବାବଦକୁ ୪୦ ହଜାର ଟଙ୍କା ଚାନ୍ଦା ମଧ୍ୟ ଦେଇଥିଲେ । ଏଭଳି ସାଘାଂତିକ ଅଭିଯୋଗ ଥିବା ଡିଏଫଓ କେବେ ଗିରଫ ହେବେ ତାହାକୁ ନେଇ ଉଠିଛି ପ୍ରଶ୍ନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବାରିପଦାରେ ଅକ୍ଟୋବର ୯ ତାରିଖରେ ଦିଆଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ସୁଭଦ୍ରା କ୍ଷେତ୍ରରୁ ଦଶହରା ଭେଟି ଭାବେ ସୁଭଦ୍ରା ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪୦ ଲକ୍ଷରୁ ଉର୍ଦ୍ଧ୍ଵ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅକ୍ଟୋବର ୭ ତାରିଖ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆବେଦନର ଶେଷ ତାରିଖ । ଆସନ୍ତାକାଲି ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ୯ ତାରିଖ ମିଳିବ ସୁଭଦ୍ରା ସହାୟତା । ଯେଉଁଥିପାଇଁ ଆବେଦନ ଲାଗି ସବୁଠି ଲାଗୁଛି ଭିଡ । ଶନିବାର ସୁଦ୍ଧା ୯୯ ଲକ୍ଷ ୪୦ ହଜାର ଆବେଦନ ହୋଇ ସାରିଥିବା ବେଳେ ୭ ତାରିଖ ସୁଦ୍ଧା ସଂଖ୍ୟା ୧ କୋଟି ଛୁଇଁବାର ସମ୍ଭାବନା ଅଛି । ବାରିପଦାରେ ଯୋଜନାର ପ୍ରଥମ ହିତାଧିକାରୀ ଏବଂ ୧ କୋଟି ତମ ହିତାଧିକାରୀଙ୍କୁ ସମ୍ମାନିତ କରାଯିବ ।
ସୁଭଦ୍ରା ଯୋଜନା ଚାରି 'ସ' ପୂରଣ ପାଇଁ କାମ କରୁଛି । ସୁଭଦ୍ରାର ଅର୍ଥ ମହିଳାଙ୍କ ସଶକ୍ତିକରଣ, ସମ୍ମାନ, ସ୍ୱାଭିମାନ ଏବଂ ସମୃଦ୍ଧି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ୮ ପୂର୍ବରୁ କୋଟିଏରୁ ଉର୍ଦ୍ଧ୍ଵ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା । ସେପଟେ ୯ ତାରିଖର ଭବ୍ୟ ଆୟୋଜନ ପାଇଁ ମା ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାରେ ଚାଲିଛି ପ୍ରସ୍ତୁତି । ସୁଭଦ୍ରା ସମ୍ମିଳନୀ ପାଇଁ ଛଉ ପଡିଆ ଓ କଲେଜ ପଡିଆରେ ଉତ୍ସବର ପରିବେଶ । ମଞ୍ଚ ସଜଡା ଠାରୁ ଆରମ୍ଭ କରି ଟେଣ୍ଟ ବାନ୍ଧିବାରେ ଲାଗି ପଡିଛନ୍ତି କାରିଗର । ଦାୟିତ୍ଵ ନେବା ପରେ ମୟୁରଭଞ୍ଜ ଜିଲ୍ଲାକୁ ପ୍ରଥମ ଥର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେଣୁ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଟଙ୍କା ଦେବା ପାଇଁ ବାରିପଦା ଆସିବା ଜାଣି ମହିଳାଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।
ସୁଭଦ୍ରା ଓଡ଼ିଶା ଇତିହାସର ସବୁଠୁ ବଡ଼ ଯୋଜନା । ଯେଉଁଥିରେ ୧ କୋଟିରୁ ଉର୍ଦ୍ଧ୍ଵ ମହିଳା ସାମିଲ ହୋଇ ସ୍ଵାବଲମ୍ବୀ ହେବାର ରାହା ପାଇବେ । ୨୪ ନିର୍ବାଚନରେ ଗେମ୍ ଚେଞ୍ଜର୍ ଥିଲା ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି । ସୁଭଦ୍ରା ଯୋଜନା ଭାଙ୍ଗି ଦେଲା ବିଜେଡ଼ିର ମହିଳା ଭୋଟ ବ୍ୟାଙ୍କ୍ ବଳ । ରାଜ୍ୟ ରାଜନୀତିର ସମୀକରଣକୁ ବଦଳାଇ ୨୪ ବର୍ଷର ସରକାରକୁ ଗାଦିଚ୍ୟୁତ କରିବାରେ ବଡ଼ ସହାୟକ ହୋଇଥିଲା ବିଜେପିର ଏହି ଘୋଷଣା । ତେବେ ସେପ୍ଟେମ୍ବର ୧୭ରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ସେଦିନ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସହାୟତା ରାଶି ମିଳିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଅକ୍ଟୋବର ୯ ଦିନ ୪୦ ଲକ୍ଷ ମହିଳାଙ୍କୁ ମିଳିବାକୁ ଯାଉଛି ପ୍ରଥମ କିସ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର...