ରାଜ୍ୟରେ ବାରମ୍ବାର ଏପରି ପିଆଜ ଦର ବୃଦ୍ଧି ଜନତାଙ୍କୁ ହନ୍ତସନ୍ତ କରୁଥିବା ବେଳେ ଏହାର ନିରାକରଣ ପାଇଁ ସରକାର କେତେ ଯେ ସଚେତନ ଆସନ୍ତୁ ନଜର ପକାଇବା ଏଇ ତଥ୍ୟ ଉପେର । ପିଆଜ ଚାହିଦାକୁ ପୂରଣ କରିବା ଲାଗି ସରକାର 2013 ମସିହାରେ ଆରମ୍ଭ କଲେ ପିଆଜ ମିଶନ । ମାତ୍ର ମିଶନ ସଫଳ ହେବା ପୂର୍ବରୁ ସରକାରଙ୍କ ଦୂର ଦୃଷ୍ଟି ଅଭାବ ଏହାକୁ ମାଟିରେ ମିଶାଇ ଦେଲା । ସେହିଭଳି ଖୋଦ୍ ସରକାର ବିଧାନସଭାରେ ରଖିଥିବା ତଥ୍ୟ କହୁଛି ପିଆଜ ଉତ୍ପାଦନର ପରିମାଣ ବର୍ଷକୁ ବର୍ଷ କମିବାରେ ଲାଗିଛି । 2012-13ରେ ପିଆଜ ଉତ୍ପାଦନର ପରିମାଣ 4 ଲକ୍ଷ 19 ହଜାର 89 ମେଟ୍ରିକ ଟନ୍ ହେଉଥିବା ବେଳେ 2016-17ରେ ଏହା ଖସି ଆସି 3 ଲକ୍ଷ 78 ହଜାର 670 ମେଟ୍ରିକ ଟନରେ ପହଂଚିଛି । ତେବେ ବାରମ୍ବାର ପିଆଜର ଅହେତୁକ ଦର ବୃଦ୍ଧି, ଚାଷୀଙ୍କ ଦ୍ବାରା ଉତ୍ପାଦିତ ପିଆଜର ସରଂକ୍ଷଣ ପାଇଁ ଭିତ୍ତିଭୂମିର ଅଭାବ ଓ ଆବଶ୍ୟକୀୟ ବଜାର ଚାହିଦା ନଥିବା ଯୋଗୁଁ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଭୟ ଚାଷୀ ଏବଂ ବ୍ୟବସାୟୀ ।

ଭୁବନେଶ୍ୱର: ପିଆଜକୁ ନେଇ ଶାସକ ବିରୋଧୀ ହେଲେ ମୁହାଁମୁହିଁ । ବର୍ଦ୍ଧିତ ପିଆଜ ପ୍ରାଇସକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ବଢିବାରେ ଲାଗିଛି । ରାଜ୍ୟରେ ଗତ କିଛି ଦିନ ହେବ ପିଆଜର ଅହେତୁକ ଦର ବୃଦ୍ଧି ଜନ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ଏହାର ନିରାକରଣ ଖୋଜି ପାଉନାହାନ୍ତି ସରକାର । ସାଧାରଣତଃ ସବୁ ସମୟରେ ଓଡ଼ିଶା ପିଆଜ ପାଇଁ କର୍ଣ୍ଣାଟକ, ନାସିକ ଓ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ହୋଇ ଆସୁଥିବାରୁ ଏ ସ୍ଥିତି ଆହୁରି ସଙ୍ଗୀନ ହୋଇଛି । ରାଜ୍ୟରେ ଚାହିଦା ମୁତାବକ ପିଆଜ ଉତ୍ପାଦନ ନ ହେବା ଓ ଆବଶ୍ୟକୀୟ ଶୀତଳ ଭଣ୍ଡାରର ଅଭାବ ପିଆଜ ଦର ବୃଦ୍ଧିର ଅନ୍ୟ କାରଣ ବୋଲି କୁହାଯାଉଛି । ଯାହାକୁ ନେଇ ଆଜି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ସେପଟେ ଏହାର ଜବାବ ରଖି ଶାସକ ଦଳ ବିଧାୟକ ପିଆଜର ଦର ବୃଦ୍ଧି ପାଇଁ କେନ୍ଦ୍ର ଉପରେ ପାଲଟା ଦୋଷ ଲଦିଛନ୍ତି । ଅନ୍ୟପଟେ କିନ୍ତୁ ପିଆଜ ଦର ବୃଦ୍ଧି ଯୋଗୁଁ ଜନତାଙ୍କୁ ହେଉଥିବା ଅସୁବିଧାକୁ ଏଡାଇବା ପାଇଁ ଦିଲ୍ଲୀ ସରକାର ଆଗକୁ ଆସିବା ସହ ପିଆଜ କମ ଦରରେ ଯୋଗାଇ ଦେଇଛନ୍ତି ।
