ଜାଣିଛନ୍ତି ଏ ନାଁର ଅର୍ଥ କ’ଣ। ଅରି ଦମନ କରିବାର ଶକ୍ତି ରଖିଥିବା ବ୍ୟକ୍ତିକୁ ହିଁ ଏହି ନାଁ ମିଳେ। ସୌଭାଗ୍ୟକୁ ତାଙ୍କୁ ବି ମିଳିଥିଲା। ମନ ଭିତରୁ ଭୟ ରୂପକ ଅରିକୁ ସେ ମାରି ସାରିଥିଲେ କାହିଁ କେଉଁ କାଳରୁ।
ତଥାପି ଜୀବନର ଶେଷ ଯୁଦ୍ଧ ଲଢିବା ତାଙ୍କ ପାଇଁ ବାକି ଥିଲା। ହେଲେ ଏ ଯୁଦ୍ଧରେ ତାଙ୍କ ପାଖରେ ନା ଅସ୍ତ୍ର ଥିଲା, ନା କେହି ସୈନିକ। ଏକଲା ଲଢିବାର ଦମ୍ଭ ଦେଖାଇଥିଲେ ସିଏ। ବଢି ପାଣିର ସୁଅ ତାଙ୍କୁ କଲବଲ କରୁଥିଲା। ମୋଡି ମକଚି ଦେଉଥିଲା ନିଜ ଇଚ୍ଛା ମୁତାବକ । ଟିଭି ସାମ୍ନାରେ ଆମେ ସମସ୍ତେ ଦେଖୁଥିଲୁ ଅରିନ୍ଦମଙ୍କ ଲଢେଇ।
ଓଡ୍ରାଫ ସ୍ପିଡ୍ ବୋଟ୍ ତଳେ ଫଶି ରହିଥିବା ବନ୍ଧୁଙ୍କୁ ଉପରକୁ ଉଠାଇ ଆଣିବାକୁ ପ୍ରଚେଷ୍ଟା ବି କଲେ। ଉପରୁ ଦେଖୁଥିବା ଲୋକେ ତଳକୁ ଦଉଡି ପାରୁଥାଆନ୍ତି। ଯେଉଁ ଦଉଡିକୁ ଧରି ସେ ଉପରକୁ ଉଠିପାରିଥାନ୍ତେ। ଏଥିପାଇଁ ଅଦମ୍ୟ ଚେଷ୍ଟା ବି କଲେ। ପ୍ରଥମ ଥର ଦଉଡି ଧରିବାକୁ ଚେଷ୍ଟା କରି ଫେଲ୍ ହେଲେ।
ଗଭୀର କାଳ ଜଳ ତାଙ୍କୁ ଆଲିଙ୍ଗନ କଲା।
ଯୁଦ୍ଧରେ ପ୍ରଥମ ଦଫାରେ ହୁଏତ ଏ କାଳ ଜଳ ତାଙ୍କୁ କବଳିତ କରିଥାନ୍ତା। କିନ୍ତୁ ଏଠି ବି ପ୍ରଥମ ଥର ଲାଗି ମୃତ୍ୟୁ ହାରିଗଲା। ଆକାଶକୁ ଚାହିଁ ରହିଲେ ଅରିନ୍ଦମ୍। ତାଙ୍କୁ ବଞ୍ଚାଇବାକୁ ଉପରେ ଥିବା ଅନେକ ମଣିଷ ଚିତ୍କାର କରୁଥାନ୍ତି। ନିଜ କ୍ଷମତା ମୁତାକବ ଦଉଡି, ଜାଲ ଫିଙ୍ଗୁଥାନ୍ତି। ଉଦ୍ଧାର ଟ୍ୟୁବକୁ ଆବୋରି ବସିଥିବା ଅରିନ୍ଦମ ଦଉଡିକୁ ଧରିବାକୁ ଚଷ୍ଟା କରନ୍ତି। ଏଇଟା ୨ୟ ଥରର ପ୍ରୟାସ। ଯୁଦ୍ଧର ୨ୟ ପାଳି।
କାଳ ଜଳରେ ସଙ୍ଘର୍ଷ ବେଳେ ବୁଦ୍ଧି ଜୁଟେନି ମୁଣ୍ଡକୁ। ଅଣ୍ଟା ବଦଳରେ ଦଉଡିକୁ ବେକରେ ଗୁଡାଇ ଯୁଦ୍ଧ ଜିତିବାର ଶେଷ ଇଚ୍ଛା କରନ୍ତି। ହେଲେ ଉପରୁ କେହି ତାଙ୍କୁ ଭିଡି ନେବାକୁ ସାହସ କରନ୍ତି ନାହିଁ। ବେକରେ ଦଉଡି ଲାଗି ଯଦି ଫାଶ ପଡେ ତା ହେଲେ କଥା ସରିଯିବ।
ଲୋକେ ଚିତ୍କାର କରନ୍ତି, ଅରିନ୍ଦମ ଭାଇ ଦଉଡି ବେକରେ ଗୁଡାନ୍ତୁ ନାହିଁ, ପାରୁଛନ୍ତି ଯଦି ଅଣ୍ଟା ଲଗାନ୍ତୁ। ହେଲେ ମୃତ୍ୟୁର ଜଳରାଶି ତାଙ୍କୁ ପୁଣି ଥରେ ଆବୋରେ ନେବାକୁ ଆଁ କରେ। ଦଉଡି, ପାଣି ଆଉ ଅରିନ୍ଦମ ଏକାକାର ହୋଇ ଯାଆନ୍ତି। ଫେଣ ଭର୍ତ୍ତି ପାଣି ଭିତରେ ଉଭେଇ ଯାଉଯାଉ ଆକାଶକୁ ମୁହଁ କରି ସମ୍ଭବତଃ ଇଶ୍ବରଙ୍କୁ କିଛି କହିବାକୁ ଚେଷ୍ଟା କରନ୍ତି ସିଏ। ହେ ଇଶ୍ବର ମୁଁ ଅରିନ୍ଦମ୍…।
କିଏ ତାକୁ ମୃତ୍ୟୁ କହିବ, ଆମେ କହିବୁ ସେ ତ ଯୁଦ୍ଧ ବିଜୟୀ। କାହିଁକି ଜାଣିଛନ୍ତି ?
ଅରିନ୍ଦମ ଦାସ। ଏମିତି ଜଣେ ଯୁବକ ଯାହାର ପ୍ରଥମ ଇଚ୍ଛା ଥିଲା ସେନାରେ ଭର୍ତ୍ତି ହେବା। ଯିଏ ବାରମ୍ବାର ଡେଙ୍ଗା ଲୋକଙ୍କୁ ଦେଖିଲେ କହୁଥିଲା, ‘ଇଏ ଆର୍ମିରେ ଯିବା କଥା। ଦେଶର ସେବା କରିବା କଥା। ଶତ୍ରୁର ମଥା ଦଳିବା କଥା। ମତେ ଯଦି ଚାନ୍ସ ମିଳିଥାନ୍ତା, ମୁଁ ନିଆଁକୁ ଡେଇଁଥାନ୍ତି। ମାରିଥାନ୍ତି, ନ ହେଲେ ମରିଥାନ୍ତି।’
ଆଜି ସେଇଆ ହୋଇଗଲା। ଜୀବନର ଇଚ୍ଛା ତାଙ୍କର ପରିପୂର୍ଣ୍ଣ ହେଲା। ଲଢିବାର ଇଚ୍ଛା ତାଙ୍କର ଅଧୁରା ରଖିଲେନି ଇଶ୍ବର। ପ୍ରଳୟ ଜଳରେ ପ୍ରକୃତିର ବିପରୀତ ଜୀବନ ପାଇଁ ଲଢିବା କମ୍ ବୀରତ୍ବର କଥା ନୁହେଁ। ସେ ଲଢି ବଞ୍ଚିଥିଲେ ବୀର ବୋଲାଇଥାନ୍ତେ ଆଉ ମରିଯାଇ ଅରିନ୍ଦମ୍ ନାଁଟାକୁ ସାର୍ଥକ କରିଦେଲେ।