ଏବେ ଦେଖିବା ଡାକ୍ତର ଅଭାବରୁ କେମିତି ଚାଲିଛି ରାଜ୍ୟର ସ୍ବାସ୍ଥ୍ୟ ସେବା। କଟକରୁ କୋରାପୁଟ। ବୌଦ୍ଧରୁ ବାସୁଦେବପୁର। ପୁଣି ରାୟଗଡାରୁ ନୂଆପଡା। ସବୁଠି ଡାକ୍ତର ମରୁଡି। ଡାକ୍ତର ନ ଥିବାରୁ ଫାର୍ମାସିଷ୍ଟ କରୁଛନ୍ତି ରୋଗୀ ସେବା। କୋରାପୁଟର କାକିରିଗୁମା ଉପସ୍ବାସ୍ଥ୍ୟ କେନ୍ଦ୍ରକୁ ଦେଖନ୍ତୁ। ଲଷ୍ମୀପୁର ବ୍ଲକର 5ଟି ପଞ୍ଚାୟତ ପାଇଁ ତିଆରି ହୋଇଥିବା ଏ ଉପସ୍ବାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି।
ବୌଦ୍ଧ ବଘିଆପଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ବି ଡାକ୍ତର ନ ଥିବାରୁ ଏଠି ଫାର୍ମାସିଷ୍ଟ ସର୍ବେସର୍ବା। ଭଦ୍ରକ ବାସୁଦେବପୁରେ ମେଡିକାଲରେ ତ ପାଳିରେ ଚାଲିଛି ସ୍ବାସ୍ଥ୍ୟ ସେବା। ୧୯ ଡାକ୍ତରଙ୍କ ସ୍ଥାନରେ 8 ଜଣ ଥିବାରୁ ପାଳି କରି ଆସୁଛନ୍ତି ଡାକ୍ତର। ରାୟଗଡା ମୁନିଗଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ପ୍ରାୟ ପ୍ରତିଦିନ ଲାଗେ ଏମିତି ରୋଗୀଙ୍କ ଲମ୍ବା ଲାଇନ। 11 ଡାକ୍ତରଙ୍କ ସ୍ଥାନରେ ମାତ୍ର ତିନିଜଣ ଥିବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରି ହନ୍ତସନ୍ତ ହୁଅନ୍ତି ରୋଗୀ।
ବିଧାନସଭାର ତଥ୍ୟ କହୁଛି ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା10774 ଥିବାବେଳେ 2561 ଡାକ୍ତର ପଦବୀ ଖାଲି। ଫାର୍ମାସିଷ୍ଟ, ଷ୍ଟାଫ ନର୍ସ, ଲାବ ଟେକନିସିଆନ, ଆଟେଣ୍ଡାଣ୍ଟ ପଦବୀ ମଧ୍ୟ ଖାଲି ପଡ଼ିଛି। ୫୦୧୪ଷ୍ଟାଫ ନର୍ସ ୧୫୯୦ ମହିଳା ସ୍ବାସ୍ଥ୍ୟ କର୍ମୀ ଓ ୧୫୦ ପୁରୁଷ ସ୍ବାସ୍ଥ୍ୟ କର୍ମୀ ପଦ ଖାଲି ପଡ଼ିଛି । ସେହିଭଳି ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ 3198 ବିଶେଷଜ୍ଞ ଓ ଡାକ୍ତର ପଦବୀରୁ 1348 ପଦ ଖାଲି ପଡିଛି। ଏଥିରେ ୧୨୫ ପ୍ରଫେସର,୨୧୦ ଅସୋସିଏଟ ପ୍ରଫେସର,୧୯୬ ଆସିଷ୍ଟାଣ୍ଟ ପ୍ରଫେସର,୧୮୭ ଟ୍ୟୁଟର, ୪୮୨ ସିନିୟର ରିଡ଼ର ଏବଂ ୧୪୮ ଜୁନିୟର ରିଡ଼ର ପଦବୀ ଖାଲି ଅଛି। 1205 ନୂଆ ଡାକ୍ତର ନିଯୁକ୍ତ ପରେ ଏବେ ପ୍ରଶ୍ନ ସୁଧୁରିବ ତ ଚିକିତ୍ସା ବ୍ୟବସ୍ଥା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର