ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି କଟକର ଚିତ୍ର । ନେତାଜୀଙ୍କ ଜନ୍ମ ସ୍ଥାନ, କଟକ ରେଳ ଷ୍ଟେସନ, ହାଇକୋର୍ଟ, ବାଲିଯାତ୍ରା ତୋରଣ ଓ ବାରବାଟୀ ଷ୍ଟାଡିଅମର ବେଲ ଭିୟୁ ଛକ । ଏଠି ଗୋଟିଏ ସ୍ଥାନରେ ସବୁ କିଛି ଦେଖିବାକୁ ମିଳିଛି । ୫୨ ବଜାର ୫୩ ଗଳିରେ ଗଣପତିଙ୍କ ପୂଜାର୍ଚ୍ଚନା ବେଶ ଧୁମଧାମରେ ଚାଲିଛି । ୟାରି ଭିତରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । କଟକ ମେରିଆ ବଜାର ଅଞ୍ଚଳର ଯୁବ ଉଦ୍ୟୋଗୀ ଅର୍ଜୁନ ତିବେରୱାଲ ନିଜ ଘରେ ଗଣେଶ ପୂଜାରେ ଏକ ନିଆରା ଉଦ୍ୟମ କରିଛନ୍ତି । ହଜାର ବର୍ଷର ସହର କଟକର ଐତିହ କୀର୍ତିରାଜିକୁ ଦୃଶ୍ୟମାନ କରାଇଛନ୍ତି । ଦିନରେ ବ୍ୟବସାୟ ଓ ରାତିରେ ଏହି କଳାକୃତୀ କରି ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି ଯୁବ ବ୍ୟବସାୟୀ ଅର୍ଜୁନ । ଏସବୁ ପ୍ରସ୍ତୁତ କରିବାରେ ପୁରା ସାହାଯ୍ୟ କରିଛନ୍ତି ତାଙ୍କ ଝିଅ ।
ଏସବୁ କଳାକୃତିରୁ ଅନେକ କିଛି ଯୁବପିଢ଼ି ଶିଖିବେ ଏବଂ କଟକର ଐତିହ ସ୍ଥାନ ବିଷୟରେ ସବୁ ଜାଣି ପାରିବେ ବୋଲି କହିଛନ୍ତି ପଡୋଶୀ । ଆପଣ ଦେଖୁଥିବା ଏସବୁ କାରୁକାର୍ଯ୍ୟ ଅଦରକାରୀ ପେଟିରୁ ପ୍ରସ୍ତୁତ କରିଛନ୍ତି ଅର୍ଜୁନ । ଏହାକୁ ପ୍ରସ୍ତୁତ କରିବାକୁ 11 ରାତି ସମୟ ଲାଗିଛି । ଅର୍ଜୁନ ଜଣେ ବ୍ୟବସାୟୀ ହୋଇଥିବାରୁ ଦିନରେ ସମୟ ନମିଳିବାରୁ କେବଳ ରାତି ସମୟରେ ଏହାକୁ ପ୍ରସ୍ତୁତ କରିଛନ୍ତି । ଅର୍ଜୁନଙ୍କ ଏହି କଳାକୃତି ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଲାଗୁଛି ।