ଭୁବନେଶ୍ୱର: ପାଟକୁରା ନିର୍ବାଚନ ସମ୍ବନ୍ଧୀୟ ଖବର ସଂଗ୍ରହ କରିବାକୁ ଯାଇଥିବା ଅର୍ଗସ ଟିମ୍କୁ ଆକ୍ରମଣ ହୋଇଛି । ତେବେ ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଖୁବଶୀଘ୍ର ନିଆଯିବ ବୋଲି କହିଥିବା ଏସପି ନୀତି ଶେଖର ଗୋଟିଏ ଦିନ ପରେ ବୟାନ ବଦଳାଇଛନ୍ତି । ହଁ ଆଜ୍ଞା ନୀତି ଶେଖର ଯିଏକି ନ୍ୟୁଜ୍ 18 ଓଡ଼ିଆର ପ୍ରତିନିଧିଙ୍କ ଉପରେ ହାତ ଉଠାଇଥିଲେ । ପରେ ଭୁଲ ମାଗିଥିଲେ । ଏସ୍ପିଙ୍କ କାରନାମାକୁ ଗୋଟିଏ ଦିନ ପୁରି ନଥିବା ବେଳେ ସେଠାରେ ପାଟକୁରା ନିର୍ବାଚନ କଭରେଜ୍ ପାଇଁ ଯାଇଥିବା ଅର୍ଗସ୍ ଟିମ୍ ଉପରେ ଆକ୍ରମଣ କରିଥିଲେ ବିଜେଡି ଗୁଣ୍ଡା ।
ଏନେଇ ଆମ ପାଖରେ ଠୋସ୍ ପ୍ରମାଣ ରହିଥିଲେ ସୁଦ୍ଧା ସରକାରୀ କଳରେ ବନ୍ଧା ପୋଲିସ ପ୍ରଶାସନ କୌଣସି କାର୍ଯ୍ୟନୁଷ୍ଠାନ ନୋବକୁ ଡରୁଛନ୍ତି ବୋଲି ଆଲୋଚନ ହେଉଛି । କାହା ଚାପରେ ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛି ? କାହା ପ୍ରୋତ୍ସାହନରେ ପୋଲିସ କର୍ମୀ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରୁଛନ୍ତି ?
ଗୋଟିଏ ପଟେ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛନ୍ତି ଅନ୍ୟପଟେ ନିଜେ ମଧ୍ୟ ଦୁର୍ବ୍ୟବହାର କରୁଛନ୍ତି । ଏସବୁ ତମାମ ପରିସ୍ଥିତିକୁ ନଜରରେ ରଖିଲେ ଏହା ସ୍ପଷ୍ଟ ହେଉଛି ଯେ ଗୋଟିଏ ଦୀର୍ଘ ବର୍ଷର ସ୍ଥାଣୁ ସରକାରର ଏହା ହେଉଛି ଫଳ । ଯାହାର କୁପରିଣାମ କେବଳ ଗଣମାଧ୍ୟମ ପ୍ରତିନିଧି କାହିଁକି ସାଧାରଣ ମଣିଷଟିଏ ବି ଭୋଗୁଛି । ନିକଟରେ ରାଜ୍ୟର କିଛି ଘରୋଇ ମେଡିକାଲ ଟଙ୍କା ପାଇଁ ବି ଶବ ବନ୍ଧା ରଖିବାକୁ ପଛାଇଲେନି । ଏମିତି ବହୁ ଅମାନବୀୟ କାଣ୍ଡ ଏହି ସରକାରରେ ଦେଖିବାକୁ ମିଳୁଛି । ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିବା ବେଳେ ପୋଲିସ ପ୍ରଶାସନ ନିରପେକ୍ଷତା ଅବଲମ୍ବନ କରୁନାହିଁ । ତେବେ କଣ ଏହା ବୁଝିନିଆଯିବ ଯେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଅସ୍ଥିରତା ଆଣିବାକୁ ଚାହୁଁଛନ୍ତି ?
ନିକଟରେ ଗୃହରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ଏପରିକି ରାଜ୍ୟରେ ଦିନକୁ 300ରୁ ଉର୍ଦ୍ଧ୍ୱ ଅପାରାଧ ହେଉଥିବା ସ୍ୱିକାର କରିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । କିନ୍ତୁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଗୃହରେ କହିଲେ ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ସରକାର ପରିକରବଦ୍ଧ ।
କିନ୍ତୁ ପ୍ରତ୍ୟେକ ସମୟରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମ ଉପରେ ହେଉଥିବା ଆକ୍ରମଣକୁ କଣ ମୁଖ୍ୟମନ୍ତ୍ରୀ ନିରବ ସମର୍ଥନ ଜଣାଉଛନ୍ତି କି ? ଗଣାମଧ୍ୟମର କଣ୍ଠରୋଧ ଏକ ସୁସ୍ଥ ଗଣତନ୍ତ୍ରର ପରିଚୟ ନୁହେଁ ବୋଲି ଯଦିଓ ବୁଦ୍ଧିଜୀବୀ ମତ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କ ସ୍ୱାର୍ଥ ପୂରଣ ନିମିତ୍ତ ଏହା ଜରୁରୀ ହୋଇପଡ଼ୁଛି କି ?
ଏଭଳି ତମାମ ପ୍ରଶ୍ନ ସାଧାରଣରେ ଉଠୁଛି । ତେବେ ଏହିସବୁ ପ୍ରଶ୍ନର ଉତ୍ତର ଦେବାକୁ ବା ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ଖୋଦ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବେ କି ?
ସୂଚନାଯୋଗ୍ୟ, ଆଜି ପାଟକୁରା ନିର୍ବାଚନ ଚାଲିଥିଲା । ସେଥିପାଇଁ ଦୁଇ ଦିନ ତଳେ ଅର୍ଗସ ଟିମ୍ ସାମ୍ବାଦିକା ସ୍ୱାତୀ ଜେନାଙ୍କ ନେତୃତ୍ୱରେ ସେଠାରେ ପହଞ୍ଚିଥିଲେ ଏବଂ ନିଜ କାର୍ଯ୍ୟରେ ଲାଗିଥିଲେ । ତେବେ ପାଟକୁରା ନିର୍ବାଚନକୁ ଆଖିରେ ରଖି ବିଜେଡି ପକ୍ଷରୁ ଟଙ୍କା ବଣ୍ଟାଯାଉଥିଲା । ଏହି ସମୟରେ ଅର୍ଗସ ଗଣମାଧ୍ୟମର ଟିମ୍, ଜଣେ ଗରିବ ପରିବାରକୁ ରାଜନୀତି ଉଦ୍ଦେଶ୍ୟ ରଖି ମାଡ଼ ମରାଯାଇଥିବା ଖବର ସଂଗ୍ରହ ପାଇଁ ସେଠାରେ ପହଞ୍ଚିଥିଲା । କିନ୍ତୁ ସେଠାରେ ଟଙ୍କା ବାଣ୍ଟୁଥିବା ବିଜେଡି କର୍ମୀମାନେ ଅର୍ଗସ ଟିମ୍କୁ ଦେଖି ଉତ୍କ୍ଷିପ୍ତ ହୋଇପଡ଼ିଥିଲେ ଏବଂ ଅର୍ଗସ ଟିମ୍କୁ ଆକ୍ରମଣ କରିଥିଲେ ।
ପ୍ରଥମେ ଅର୍ଗସ ଗଣମାଧ୍ୟମ ଗାଡ଼ିରୁ ଡ୍ରାଇଭରଙ୍କୁ ଟାଣି ନେଇ ମାଡ଼ ମାରିଥିଲେ । ପରେ ଅର୍ଗସ ପକ୍ଷରୁ ଖବର ସଂଗ୍ରହ ପାଇଁ ଯାଇଥିବା ମହିଳା ସାମ୍ବାଦିକ ସ୍ୱାତୀ ଜେନାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଖାଲି ସେତିକି ନୁହେଁ ପରେ କ୍ୟାମେରାମ୍ୟାନ୍ଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ବିଜେଡିର ଗୁଣ୍ଡାମାନେ । ଯେଉଁମାନେ ଆକ୍ରମଣ କରିଥିଲେ ସେମାନେ ବିଜେଡି କର୍ମୀ ଏବଂ ସେମାନେ ସ୍ଥାନୀୟ ଅଞ୍ଚଳର ବାୟା ମଲ୍ଲିକ୍ ଏବଂ ଲିଟୁ । ବାୟା ଏବଂ ଲିଟୁଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏହି ଆକ୍ରମଣରେ ସାମିଲ ଥିଲେ ।
ତେବେ ଜଣେ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ହେବା ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣକୁ ପଦାରେ ପକାଉଛି । ନିର୍ବାଚନକୁ ଆଖିରେ ରଖି ସବୁବେଳେ ବିଜେଡି ସୁପ୍ରିମୋ ମହିଳା କାର୍ଡ ଖେଳନ୍ତି । ଏକଥା କାହାକୁ ଅଛପା ନାହିଁ । ଠିକ୍ ଏତିକି ବେଳେ ଜଣେ ସାମ୍ବାଦିକାଙ୍କ ଉପରେ ବିଜେଡି ଗୁଣ୍ଡାଙ୍କ ଆକ୍ରମଣ ରାଜ୍ୟ ସରକାରଙ୍କ ମିଛ ମହିଳା ସଶକ୍ତିକରଣର ମୁଖା ଖୋଲି ଦେଇଛି କି ?
ଏନେଇ ଆପଣମାନେ ଆପଣଙ୍କ ନିଜସ୍ୱ ମନ୍ତବ୍ୟ ତଳେ ଥିବା କମେଣ୍ଟ ବକ୍ସରେ ଦେଇପାରିବେ..

