କନ୍ଧମାଳ: ରାଜ୍ୟରେ ହାଡ଼ ଭାଙ୍ଗୁଛି ଜାଡ଼ । ସମଗ୍ର ଓଡ଼ିଶାରେ ଶୀତର ଲହରୀ ଜାରୀ ରହିଥିବା ବେଳେ କନ୍ଧମାଳରେ ଶୀତର ପ୍ରକୋପରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଜନ ସାଧାରଣ । ଶୀତରୁ ନିସ୍ତାର ମିଳୁନି ଲୋକଙ୍କୁ । ତାପମାତ୍ରା ୮ ଡିଗ୍ରୀ ତଳେ ରହୁଛି । ଆଜି ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ ଥିବା ବେଳେ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍ ରହିଛି ।

ବାଲିଗୁଡା, ତୁମୁଡିବନ୍ଧ, ବେଲଘର, ଚକାପାଦ, ଫିରିଙ୍ଗିଆ ଭଳି ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ହେଉଥିବାର ଦେଖିବାକୁ ମିଳିଛି ।
ଶୀତରେ ସାଧାରଣତଃ ଗ୍ରାମବାସୀଙ୍କ ଜୀବନ ଶୈଳୀରେ ବହୁ ପରିବର୍ତ୍ତନ ଦେଖାଯାଇଛି । ଯେମିତିକି ଶୀତରେ ସେମାନଙ୍କ ପାଖରେ ଶୀତ ବସ୍ତ୍ରନ ଥିବାରୁ ଖଜୁରୀପଟି କିମ୍ବା ନିଆଁର ସାହାରା ନେଉଛନ୍ତି ଲୋକେ ।

ସକାଳେ ସୂର୍ଯ୍ୟ କିରଣ ପଡ଼ିବା ପରେ ବେପାର ବଣିଜ କରିବା ପାଇଁ ସହରକୁ ଆସିଥାନ୍ତି । ଅନ୍ୟପଟେ ପ୍ରବଳ ଶୀତ ଅନୁଭୂତ ହେଉଥିଲେ ମଧ୍ୟ ଗରିବ ଶ୍ରେଣୀର ଲୋକଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ କୈାଣସି ଶୀତ ବସ୍ତ୍ର ଯୋଗାଇ ଦିଆଯାଉ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହାସହ ଆଉ କିଛି ଦିନ ପର୍ଯ୍ୟନ୍ତ ଜିଲ୍ଲାରେ ଶୀତ ଲାଗି ରହିବ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ପ୍ରକାଶ କରିଛି ।
