ଇଏ ହେଉଛି ରାଜନଗରର କିଛି ବାତ୍ୟା ଆଶ୍ରୟସ୍ଥଳୀର ଦୃଶ୍ୟ । ବାତ୍ୟା ଆସିନି ତ ଦୁଃଖ ନେଇକି ଆସିଛି । ଥରେ ଚିନ୍ତା କରନ୍ତୁ ଝଡବର୍ଷାରେ ମହିଳାଟିଏ କି ଅସୁବିଧାର ସାମ୍ନା ନକରୁଥିବ । କିଏ ଅନ୍ତସୋତା ମହିଳା ତ ଆଉ କିଏ ରତୁସ୍ରାବରେ ସାମ୍ନା କରୁଛି । ପଚପଚ ପାଣି କାଦୁଅରେ ଘରେ ସେ କେମିତି ରହୁଥିବ ସ୍ପଷ୍ଟ ଅନୁମେୟ ।
ଏ ଦୃଶ୍ୟ ଦେଖିବା ପରେ ମହିଳାଙ୍କ ଅସୁବିଧା ଯେ କଣ ତାହା ଆଉ ବୁଝାଇବାର ଆବଶ୍ୟକତା ନାହିଁ । ବାତ୍ୟା ଆଶ୍ରୟସ୍ଥଳୀରେ ମହିଳାମାନେ କେମିତି ସମୟ କାଟୁଛନ୍ତି ତାହା ଉପରେ ବି ଟିକିଏ ନଜର ପକାନ୍ତୁ । ଏଠି ସେଠି କୁନିକୁନି ପିଲାଙ୍କୁ ଧରି ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି । କିଏ ତଳେ ଶୋଇ କଅଁଳା ଛୁଆଟିକୁ କ୍ଷୀର ଦେଉଛି ତ କିଏ ନିଜେ କେମିତି ପୋଷାକ ବଦଳେଇବ, ଶୌଚାଳୟ ଯିବ ସେ କଥା ଭାବୁଛି ।
ଘର ଗୋଟିଏ, ହେଲେ ଏକାଠି 30 ରୁ 40 ଜଣ ମହିଳା ବସିଛନ୍ତି । ଶୌଚ ହେବା ପାଇଁ ନା ଅଛି ଶୌଚାଳୟ ନା ଲୁଗା ବଦଳାଇବା ପାଇଁ ଅଛି ଟିକେ ଜାଗା । ଆଉ ଯଦି କୌଣସି ମହିଳା ମାସିକ ଋତୁସ୍ରାବ ହୋଇଛି ତ କଥା ସରିଲା । ସମସ୍ତଙ୍କର ଗୋଟିଏ କଥା ଏହି ପ୍ରାକୃତିକ ବିପର୍ଯ୍ୟୟ, ବାତ୍ୟା ବନ୍ୟା ସମୟରେ ପୁରୁଷ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି..ଅଧିକ କଷ୍ଟ ପାଆନ୍ତି ।
ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପୁରୁଷ ଓ ମହିଳା । ଆମେ ଜାଣିଛେ ଏକବିଂଶ ଶତାବ୍ଦୀରେ ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ମହିଳା ମାନେ ଆଗେଇ ଚାଲିଛନ୍ତି । ହେଲେ ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ବେଶୀ ପ୍ରଭାବିତ ହୁଅନ୍ତି ।