କିନ୍ତୁ ଏସବୁ କଥାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର । ସେ ଆହୁରି କହିଛନ୍ତି, ୫ ବର୍ଷ ପୂର୍ବରୁ ବିଜେଡ଼ି ପୁଣି ସରକାରକୁ ଫେରିବା ଅବାସ୍ତବ କଥା । ସଂଖ୍ୟା ଗରିଷ୍ଠତା ପାଇ ବିଜେପି ସରକାର କରିଛି । ତାପରେ ବି ବିଜେଡ଼ି କଂଗ୍ରେସ ସହିତ ମିଶି ସରକାର କରିବ ବୋଲି କହିବା ଅବାସ୍ତବ କଥା । ଆଉ ଏସବୁ ଅବାସ୍ତବ କଥା କହିବାକୁ ସେମାନେ ପ୍ରାଧିକୃତ କି ନାହିଁ ଜଣାନାହିଁ । ନବୀନ ବାବୁ ଏହା କହିବାକୁ ସେମାନଙ୍କୁ କହିଛନ୍ତି ନା ନାହିଁ ସେକଥା ଜଣାନାହିଁ । ଯେଉଁମାନେ କହୁଛନ୍ତି କଂଗ୍ରେସ ସହ ମିଶି ବିଜେଡି ପୁଣି ସରକାରକୁ ଆସିବ । ସେମାନଙ୍କର ମତି ବିଭ୍ରାଟ ହୋଇଛି ବୋଲି କହିଛନ୍ତି ବଦ୍ରିପାତ୍ର।
ସେପଟେ ବଦ୍ରି ପାତ୍ରଙ୍କ କଟାକ୍ଷ ପରେ ବିଜେଡି ନେତାଙ୍କ କଟା ଘାଆରେ ଚୁନ ମାରିଛି ବିଜେପି । ଆସ୍କା ବିଧାୟକ ସରୋଜ ପାଢୀ କହିଛନ୍ତି, ବିଜେଡି ନେତା ମାନେ ଧର୍ଯ୍ୟହରା ହୋଇଯାଉଛନ୍ତି । ଶାସନରେ ଥିଲେ, ଯାହା ଚାହୁଁଥିଲେ ତାହା କରୁଥିଲେ । ଏବେ ହାରିଛନ୍ତି କିନ୍ତୁ ସେ ଅଭ୍ୟାସ ଯାଇନି । ତେବେ ୨୦୦୯ରେ କଂଗ୍ରେସ ସାଜିଥିଲା ନବୀନଙ୍କ ସଂଜୀବନୀ । ୨୦୦୯ରେ ବିଜେପି- ବିଜେଡି ମେଣ୍ଟ ଭାଙ୍ଗିବା ପରେ ବାହାରୁ ସମର୍ଥନ କରି ବିଜେଡି ସରକାରକୁ ବଞ୍ଚାଇଥିଲା କଂଗ୍ରେସ । ତେବେ ବର୍ତ୍ତମାନ ସ୍ଥିତିରେ କଂଗ୍ରେସ ସମର୍ଥନରେ ବିଜେଡି ସରକାର କରିବାର ସ୍ଵପ୍ନରେ କେତେ ବାସ୍ତବତା ଅଛି ଶୁଣନ୍ତୁ କଣ କହୁଛନ୍ତି ରାଜନୈତିକ ସମୀକ୍ଷକ ।
ନିକଟ ଅତୀତରେ ଦୁଇ ଜଣ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ଆଗକୁ ଆହୁରି ରାଜ୍ୟସଭା ସାଂସଦ ଗୋଡ କାଢି ବସିଥିବା ଚର୍ଚ୍ଚା ହେଉଛି । ଆଉ ଏସବୁ ଭିତରେ ବିଜେଡିର ଭିତିରି ଅସନ୍ତୋଷ ଯେତେ ଲୁଚାଇଲେ ବି ଆଉ ଲୁଚି ପାନୁନି । ଆଉ ଅତନୁ, ଦେବାଶିଷଙ୍କ ଦମ୍ଭୋକ୍ତିକୁ ବଦ୍ରି ପାତ୍ରଙ୍କ ଭଳି ଜଣେ ବରିଷ୍ଠ ନେତା ଅବାସ୍ତବ କହିବା ବିଜେଡିର ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଛିଡା କରିଛି ।