ମୁରଲୀ ବିଜୟ ଭାରତ ପାଇଁ ୬୧ଟି ଟେଷ୍ଟ ମ୍ୟାଚ ଖେଳି ୩୮.୨୮ ହାରରେ ୩୯୮୨ ରନ କରିଛନ୍ତି। ଏଥିରେ ୧୨ ଶତକ ଏବଂ ୧୫ ଅର୍ଦ୍ଧଶତକ ସାମିଲ ଅଛି। ସେ ଭାରତ ପକ୍ଷରୁ ୧୭ଟି ଦିନିକିଆ ଏବଂ ୯ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ୨୦୦୮ରେ ସେ ଭାରତୀୟ ଦଳ ପାଇଁ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଦିନିକିଆରେ ସେ ଗୋଟିଏ ଅର୍ଦ୍ଧଶତକ ସହ ୩୩୯ ରନ୍ କରିଛନ୍ତି। ସୋସିଆଲ ମିଡିଆରେ ନିଜର ଅବସର ବିଷୟରେ ଘୋଷଣା କରି ବିଜୟ କହିଛନ୍ତି ସେ ବିଶ୍ବର ବିଭିନ୍ନ କ୍ରିକେଟ ଲିଗ ଏବଂ ବ୍ୟବସାୟ ଉପରେ ଅଧିକ ମନୋନିବେଶ କରିବା ଲାଗି ଏହି ନିଷ୍ପତ୍ତି ନେଇଛନ୍ତି।
ଆଇପିଏଲରେ ସେ ୧୦୬ଟି ମ୍ୟାଚ ଖେଳି ୨୬୧୯ ରନ କରିଛନ୍ତି। ଏଥିରେ ଦୁଇଟି ଶତକ ସାମିଲ ଅଛି। ମୁରଲୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ, ପଞ୍ଜାବ କିଙ୍ଗସ ଏବଂ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ମ୍ୟାଚ ଖେଳିଛନ୍ତି।
ମୁରଲୀ କହିଛନ୍ତି ମୁଁ ନିଜର ସାଥୀ ଖେଳାଳି, ମେଣ୍ଟର୍ସ, ପ୍ରଶିକ୍ଷକ, ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଯେଉଁମାନେ ମୋ କ୍ୟାରିୟରରେ ସହଯୋଗ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଅବସର ପରେ ସେ ବିଦେଶରେ ଭିନ୍ନ ଭିନ୍ନ ଲିଗ୍ରେ ଖେଳିବାକୁ ପ୍ରସ୍ତୁତ। ଉତ୍ଥାନପତନ ବେଳେ କ୍ରିକେଟ ଫ୍ୟାନମାନଙ୍କ ସମର୍ଥନ ଆଗକୁ ବଢ଼ିବାକୁ ଉତ୍ସାହ ଦେଇଥିଲା। ସେମାନଙ୍କ ସହ ବିତାଇଥିବା ସବୁ ମୁହୂର୍ତ୍ତ ସବୁଦିନ ପାଇଁ ମନେ ରହିବ। ନିଃସର୍ତ୍ତ ଭଲ ପାଇବା ଦେବାଲାଗି ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି। ମୋର ସମସ୍ତ ସାଥୀ ଖେଳାଳି ଏବଂ ଏବେକାର ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଉଛି। ସେମାନେ ଆହୁରି ଭଲ ଖେଳନ୍ତୁ ବୋଲି ମୋ ତରଫରୁ ତାଙ୍କୁ ଶୁଭକାମନା।