ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ କଲିକତା ଡାକ୍ତର ଦୁଷ୍କର୍ମ ମାମଲା । କାରଣ ମୁଖ୍ୟ ଅଭିଯୁକ୍ତ ସଂଜୟ ଦିଦିଙ୍କ ବିରୋଧରେ ବିଷୋଦଗାର କରିଛି । କହିଛି, ମୁଁ କୌଣସି ଦୋଷ କରିନି ବରଂ ସରକାର ମତେ ଫସାଇଦେଇଛନ୍ତି । ସିଆଲଦାହ କୋର୍ଟରେ ହାଜର ହେବା ବେଳେ ଗଣମାଧ୍ୟମକୁ ଏମିତି ଚାଞ୍ଚଲ୍ୟକର ବୟାନ ଦେଇଛି ସଞ୍ଜୟ । ମାମଲାରେ ତାକୁ ଫସେଇ ଦିଆଯାଇଛି ବୋଲି ବି ସେ କହିଛି ।
କଲିକତା ଡାକ୍ତର ଦୁଷ୍କର୍ମ ମାମଲାରେ ଏବେ ପୁଣି ନୂଆ ତଥ୍ୟ ସାମ୍ନାକୁ ଆସିବା ସହିତ ଚର୍ଚ୍ଚା ବି ବଢିଛି । କାରଣ ସେତେବେଳେ ସଂଜୟ ଗିରଫ ହେବା ପରେ ଦୋଷୀ ବୋଲି ମାନିଥିଲା । କିନ୍ତୁ ଏବେ କୋର୍ଟରେ ବୟାନ ବଦଳାଇବା ସହିତ ସେ ଦୋଷୀ ନୁହେଁ ବୋଲି କହିଛି । ଏମିତିକି ସେ କିଛି କହିବାକୁ ଚାହିଁଥିଲେ ବି କହିବାକୁ ସୁଯୋଗ ଦିଆଯାଇନି ବୋଲି ସେ କହିଛି । RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତର ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ ହୋଇଛି ସଞ୍ଜୟ ରାୟ । କୋଲକତା ପୋଲିସରେ ସିଭିକ୍ ଭଲିଣ୍ଟିଅର ଥିବା ସଞ୍ଜୟ ବ୍ୟତୀତ ଆଉ କାହାରିକୁ ଗିରଫ କରିନି କୋଲକାତା ପୁଲିସ କିମ୍ବା ମାମଲାରେ ଏବେ ତଦନ୍ତ କରୁଥିବା ସିବିଆଇ ବି ଗିରଫ କରିନି । ହେଲେ ଏହାରି ଭିତରେ ସଂଜୟର ବୟାନ ଚର୍ଚ୍ଚା ବଢାଇଛି ।
ତେବେ ମେଡିକାଲ ଭିତରେ ହୋଇଥିବା ଦୁଷ୍କର୍ମ ଓ ମର୍ଡର କେସ୍କୁ ନେଇ ଘଟଣାକୁ ନେଇ ତେଜିଥିଲା ଆନ୍ଦୋଳନ । ଜୁନିୟର ଡାକ୍ତରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ବିରୋଧ ହୋଇଥିବା ବେଳେ କାର୍ଯ୍ୟବନ୍ଦ ଆନ୍ଦୋଳନ ବି ହୋଇଥିଲା । ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ବା FORDA ପକ୍ଷରୁ ବୈଠକ ବସିଥିଲେ । ଏଥିରେ ସାରା ଦେଶରେ ରେସିଡେଣ୍ଟ ଡକ୍ଟର ଆନ୍ଦୋଳନରେ ଯୋଗ ଦେବାକୁ ଆହ୍ବାନ ଦିଆଯାଇଥିଲା । ମାମଲାର ସିବିଆଇ ତଦନ୍ତ, ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି, RG କର ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ହଟାଇବା ଏବଂ ଏକ କେନ୍ଦ୍ରୀୟ ସୁରକ୍ଷା ଆଇନ କମିଟି ଗଠନ ଦାବି ରଖିଥିଲା FORDA ।
ମୃତ ଟ୍ରେନିଂ ଡାକ୍ତରୀ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ ଅନୁକଂପା ରାଶିପ୍ରଦାନ ସହ ଘଟଣାର ତଦନ୍ତ କରି ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ସହ ସମସ୍ତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବାକୁ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଡାକ୍ତର ସଂଘ । ତେବେ ଧରାପଡ଼ିଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ୪ ଥର ବିବାହ କରିଥିବା ବେଳେ ତାର ବ୍ୟବହାରରେ ଅତିଷ୍ଠ ହୋଇ ତିନି ଜଣ ପତ୍ନୀ ତାକୁ ଛାଡ଼ପତ୍ର ଦେଇଛନ୍ତି । ଘଟଣା ଦିନ ସଂଜୟ ଅଶ୍ଳୀଳ ଫିଲ୍ମ ଦେଖିବା ପରେ ଏଭଳି ପୈଶାଚିକ କାଣ୍ଡ ଘଟାଇଥିବା ପୋଲିସ ଜାଣିବାକୁ ପାଇଥିଲା । ହେଲେ ଏବେ ସେ ଦୋଷ ମାନୁନଥିବାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।