ଅକ୍ଷୟ ତୃତୀୟା ଦିନରୁ ଆରମ୍ଭ ହୁଏ ଶ୍ରୀଜୀଉଙ୍କ ୩ଟି ରଥର ନିର୍ମାଣ କାର୍ଯ୍ୟ। ଏହି ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ପ୍ରାୟ ୨ ମାସ ସମୟ ଲାଗିଥାଏ। ନିର୍ଦ୍ଦିଷ୍ଟ ନୀତି ନୀୟମ ମାନି ରଥ କାର୍ଯ୍ୟ ସମାପନ କରାଯାଇଥାଏ। ଏହାପରେ ରଥଯାତ୍ରା ଦିନ ତିନି ଠାକୁର ଗୁଣ୍ଡିଚା ଘରକୁ ବୁଲିବାକୁ ଯାଆନ୍ତି। ସେଠାରେ ୯ ଦିନ ରହି ଦଶମୀ ଦିନ ବାହୁଡ଼ାରେ ବଡ ଦେଉଳକୁ ଫେରନ୍ତି ଚତୁର୍ଦ୍ଧାମୂର୍ତ୍ତି।ସିଂହଦୁଆରେ ସୁନାବେଶ ଏବଂ ଅଧରପଣା ପରେ ନୀଳାଦ୍ରୀବିଜେ କରି ବଡଦେଉଳକୁ ଫେରି ଆସନ୍ତି ତିନି ଠାକୁର।
ନିଳାଦ୍ରି ବିଜେ ପରେ ରଥଭଙ୍ଗା ହେବା ପାଇଁ ପୂଜା ଆରମ୍ଭ ହୋଇଥାଏ। ତାପରେ ଶ୍ରାବଣ ମାସରେ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୁଏ । ୧୨ ଦିନ ଧରି ଏହି ରଥ ଭଙ୍ଗା କାର୍ଯ୍ୟ ଚାଲେ। ପ୍ରଥମେ ଦେବୀ ଶୁଭଦ୍ରାଙ୍କ ଦେବଦଳନ ରଥ , ପରେ ବଳଭଦ୍ରଙ୍କ ତାଳଧ୍ବଜ ଏବଂ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଦିଆଯାଏ। ଭୋଇ ସେବକ ମାନେ ଏହି ରଥଭଙ୍ଗା କାର୍ଯ୍ୟ କରିଥାନ୍ତି। ପ୍ରଥମେ ରଥର ଦଧିନଉତି ଭଙ୍ଗାଯାଏ, ପାରା ଭାଢି , ଚଉଦ ନାହାକ, ଦୁଆର ବେଢା, ଛଅ କାଠ, କଳସ ଓ ଶୂଆ ଏ ସବୁକୁ ଉପରୁ ତଳ ପର୍ଯ୍ୟନ୍ତ ଭଙ୍ଗାଯାଇଥାଏ। ପ୍ରତିବର୍ଷ ଭଙ୍ଗା ଯାଇଥିବା ରଥର ଚକ, କଣକୁଜ, ଅଶ୍ବ, ପ୍ରଭା ଏବଂ ସିଂହାସନ ଗୁଣ୍ଡିଚା ମନ୍ଦିରକୁ ଯାଇଥାଏ। ଏଠାରେ ଭକ୍ତମାନଙ୍କ ମଧ୍ୟରେ ରଥର ସମସ୍ତ ଅଂଶବିଶେଷ ନିଲାମ କରାଯାଏ । ଯାହାକୁ ଭକ୍ତ ମାନେ ପାଇ ଜଗନ୍ନାଥଙ୍କ କୃପା ଲାଭ କରିଥାନ୍ତି।
ରଥରୁ ବାହାରିଥିବା କାଠଗୁଡିକ ଶ୍ରୀମନ୍ଦିର ରୋଷଶାଳାକୁ ଯାଇଥାଏ। ସେହିପରି ସାରଥିକୁ ନବକଳେବର ସମୟରେ ତିନି ଠାକୁରଙ୍କ ସହ ସମାଧି ଦିଆଯାଇଥାଏ। ଏହାପରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ରଥଭଙ୍ଗା କାର୍ଯ୍ୟକ୍ରମ ଶେଷ ହୋଇଥାଏ।
ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର