ମୁମ୍ବାଇ: ବଲିଉଡ କ୍ୱିନ୍ କଙ୍ଗନା ରାଣାୱତ ଆଜି 32 ବର୍ଷ ବୟସରେ ପାଦ ଦେଇଛନ୍ତି । କଙ୍ଗନା ବଲିଉଡରେ ଦମଦାର ଆକ୍ଟିଂ କରି ନିଜର ସ୍ୱତନ୍ତ୍ର ପରିଚୟ ବନାଇଛନ୍ତି । ସେ ବଲିଉଡର ଏକମାତ୍ର ହିରୋଇନ୍ ଯିଏକି ‘ଖାନ’ମାନଙ୍କ ସହ ଅଭିନୟ କରିବାକୁ ଚାହାନ୍ତିନାହିଁ । ନିଜର ଦମରେ ଫିଲ୍ମ ହିଟ୍ କରିପାରିବ ଏଭଳି ଚିନ୍ତାଧାର ତାଙ୍କର ରହିଛି । ଆଉ ଏହି ଚିନ୍ତାଧାରା ହିଁ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି ।
ଏଥର ବାର୍ଥ ଡେରେ କଙ୍ଗନା କୌଣସି ଛୁଟି ନନେଇ ସୁଟିଂରେ ବ୍ୟସ୍ତ ଅଛନ୍ତି । ମେଣ୍ଟାଲ ହେ କ୍ୟାର ସୁଟିଂ କରୁଛନ୍ତି କଙ୍ଗନା । ଗତବର୍ଷ ମଧ୍ୟ କଙ୍ଗନା ନିଜର ଫିଲ୍ମ ମଣିକର୍ଣ୍ଣିକା ସୁଟିଂରେ ବ୍ୟସ୍ତ ଥିଲେ । ଏହି ଫିଲ୍ମରେ କଙ୍ଗନା ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ଏହା ସହିତ ଏଥିରେ ରାଣୀ ଲକ୍ଷ୍ମୀବାଇ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ ।
କଙ୍ଗନାଙ୍କ ଜନ୍ମ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ଅନ୍ତର୍ଗତ ସୁରଜପୁରର ଏକ ରାଜପୁତ ପରିବାରରେ ହୋଇଥିଲା । ପରିବାରରେ ତାଙ୍କ ବ୍ୟତୀତ ତାଙ୍କ ବଡ ଭଉଣୀ ରଙ୍ଗୋଲୀ ଓ ଛୋଟ ଭାଇ ଅକ୍ଷତ ଅଛନ୍ତି । କଙ୍ଗନାଙ୍କ ମାତା ଆଶା ରାଣାୱତ ଜଣେ ସ୍କୁଲ ଶିକ୍ଷକ ଓ ପିତା ଜଣେ ବିଜନେସ ମ୍ୟାନ । କଙ୍ଗନା ବଲିଉଡରେ ଏକମାତ୍ର ଏଭଳି ଅଭିନେତ୍ରୀ ଯାହାଙ୍କ ଫିଲ୍ମରୁ ଶହେ କୋଟି ଆୟ ହୋଇଥାଏ ।
କଙ୍ଗନା ଜଣେ ଡକ୍ଟର ବନନ୍ତୁ ବୋଲି ତାଙ୍କ ପିତା ଚାହୁଁଥିଲେ କିନ୍ତୁ ଦ୍ୱାଦଶ ଶ୍ରେଣୀରେ ସେ ଫେଲ୍ ହୋଇଯାଇଥିଲେ । ଏହାପରେ ପିତାଙ୍କ ସହ ଝଗଡା କରି ସେ ଦିଲ୍ଲୀ ଆସିଥିଲେ । ଦିଲ୍ଲୀ ଆସିବା ପରେ ସେ ଅଭିନେତ୍ରୀ ହେବାକୁ ଇଚ୍ଛା କରିଥିଲେ, କିନ୍ତୁ ତାଙ୍କ ପାଖରେ ନା ଟଙ୍କା ଥିଲା ନା ରହିବା ପାଇଁ ଘର । ଏହାପରେ ମୁମ୍ବାଇ ଆସିବାକୁ ନିଷ୍ପତ୍ତି ନେଇଥିଲେ । ଏଠାରେ ସେ 4ମାସ ଆକ୍ଟିଂ କୋର୍ସ କଲେ । ଏହାପରେ ତାଙ୍କର କଙ୍ଗନାରୁ କ୍ୱିନ ବନିବାର ଯାତ୍ରା ଆରମ୍ଭ ହୋଇଥିଲା । ଏହାପରେ ଗ୍ୟାଙ୍ଗଷ୍ଟର ଫିଲ୍ମ ଜରିଆରେ ସେ ଡେବ୍ୟୁ କରିଥିଲେ ।
ଏହାପରେ କଙ୍ଗନାକୁ ଆଉ ପଛକୁ ଫେରିବାକୁ ପଡିନଥିଲା । ଏବେ ସୁଦ୍ଧା ପ୍ରାୟ 35ଟି ଫିଲ୍ମରେ ଅଭିନୟ କରିସାରିଲେଣି କଙ୍ଗନା । ଫିଲ୍ମ ତନୁ ୱେଡ୍ସ ମନୁ ଓ କ୍ୱିନରେ ତାଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା । ନିଜର ଅଭିନୟ ପାଇଁ ତାଙ୍କୁ 3ଥର ନ୍ୟାସନାଲ ଆୱାର୍ଡ ମଧ୍ୟ ମିଳିସାରିଛି ।
ନିଜର ରୋକଠୋକ୍ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି କଙ୍ଗନା । ବଲିଉଡର ବଡ ବଡ ଷ୍ଟାରଙ୍କୁ ମଧ୍ୟ ଖୋଲାଖୋଲି ଭାବେ ସମାଲୋଚନା କରିଥାଆନ୍ତି । ଏହି କାରଣରୁ ଅନେକ ଷ୍ଟାରଙ୍କ ସହ ତାଙ୍କର ପଡେନାହିଁ । ବଲିଉଡରେ ମାତ୍ର 12 ବର୍ଷ କ୍ୟାରିୟରରେ ସେ ବନ୍ଧୁ କମ୍ ଓ ଶତ୍ରୁ ଅଧିକା ମନେଇଛନ୍ତି ।
