ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ସଙ୍କୁଚିତ କରିଦେଇଥାଏ । ଚିକିତ୍ସା କରା ନଗଲେ ଏହା ଏଡ୍ସରେ ପରିଣତ ହୋଇଥାଏ । କେନ୍ଦ୍ରୀୟ ଆଫ୍ରିକାରେ ପ୍ରଥମେ ସିମ୍ପାଞ୍ଜି ଦେହରେ ଏଚିଆଇଭି ଚିହ୍ନଟ ହୋଇଥିଲା ଓ ଅଷ୍ଟାଦେଶ ଶତାବ୍ଦୀର ଶେଷ ଭାଗରେ ଏହା ମାନବ ଶରୀରକୁ ସଂକ୍ରମିତ ହୋଇଥିବା ବିଶ୍ୱାସ କରାଯାଏ । ଏଡ୍ସର ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ବାହାରି ନାହିଁ । ତେବେ ଇସ୍ରାଏଲ ଗବେଷକମାନେ ଏହି ଭୂତାଣୁକୁ ମାରିବାରେ ସଫଳ ହୋଇଥିବା କହିଛନ୍ତି ।
ଇଞ୍ଜିନିୟରିଂ-ଟାଇପ୍ ବି ଶ୍ୱେତ ରକ୍ତ କୋଷରୁ ସେମାନେ ପ୍ରସ୍ତୁତ କରିଥିବା ଟିକା ଇମ୍ୟୁନ୍ ସିଷ୍ଟମକୁ ସକ୍ରିୟ କରିପାରିବ, ଯାହା ଶରୀରରେ ଏଚଆଇଭିକୁ ନିଷ୍କ୍ରିୟ କରିବା ଲାଗି ଆଣ୍ଟିବଡି ସୃଷ୍ଟି କରିବ । ତେଲ୍ ଆଭିଭ୍ ୟୁନିଭର୍ସିଟିର ଜର୍ଜ ଏସ୍ . ୱାଇଜ୍ ଫାକଲ୍ଟି ଅଫ୍ ଲାଇଫ ସାଇନ୍ସରେ ନ୍ୟୁରୋବାୟୋଲୋଜି, ବାୟୋ କେମେଷ୍ଟ୍ରି ଓ ବାୟୋଫିଜିକ୍ସର ଗବେଷକମାନଙ୍କ ଟିମ୍ ଏହି ଗବେଷଣା ଚଳାଇଥିଲେ । ସେମାନଙ୍କ ଅଧ୍ୟୟନ ନେଚର ପତ୍ରିକାରେ ପ୍ରକାଶ ପାଇଛି । ଉକ୍ତ ଆଣ୍ଟିବଡି ସୁରକ୍ଷିତ, ଶକ୍ତିଶାଳୀ ଓ ଏହାର ମାପ କରାଯାଇପାରିବ । କେବଳ ଏଚଆଇଭି ନୁହେଁ, କ୍ୟାନସର ଏବଂ ଅଟୋଇମ୍ୟୁନ୍ ରୋଗ ଚିକିତ୍ସାରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ ବୋଲି ଗବେଷକମାନେ ଦାବି କରିଛନ୍ତି ।