ୟୁକ୍ରେନ ଉପରେ ଘମାଘୋଟ୍ ଆକ୍ରମଣ ଜାରି ରଖିଛି ଋଷିଆ । ଖାଲି ଆକ୍ରମଣ କରୁଛି ତାହା ନୁହେଁ ବରଂ ଲକ୍ଷାଧିକ ଲୋକଙ୍କ ଜୀବନ ବି ଯାଇଛି । ସେପଟେ, ୟୁକ୍ରେନ ମଧ୍ୟ ଋଷିଆ ଉପରେ ଆକ୍ରମଣ କରୁଛି । କିନ୍ତୁ ଏହାରି ଭିତରେ ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ନିଜ ସୈନ୍ୟ ଋଷିଆକୁ ପଠାଇଛନ୍ତି । ସିଏ ପୁଣି ୧୦ ହଜାରରୁ ଅଧିକ ସଂଖ୍ୟାରେ । ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୩ ହଜାର ସଂଖ୍ୟାର ସୈନ ଋଷିଆ ନିଜର ସ୍ଵତନ୍ତ୍ର ବାଟାଲିୟନରେ ସାମିଲ କରିଛି ଯାହାର ନାଁ ବରୟାତ ରଖାଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ୟୁକ୍ରେନ ସୀମାଠାରୁ ମାତ୍ର ୭ କିଲୋମିଟର ଦୂରରେ ଥିବା ବରିୟାନସ୍କ ଏବଂ କୁର୍ସ୍କ ଅଞ୍ଚଳରେ ନିୟୋଜିତ ୧୮ ଜଣ ଉତ୍ତର କୋରିଆ ସୈନ୍ୟ ନିଜ ପୋଷ୍ଟରୁ ଭୟରେ ପଳାଇଛନ୍ତି । ଅବଶ୍ୟ କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ସେମାନେ ପଳାଇଯାଇଛନ୍ତି ତାହା ଜଣାପଡ଼ିନାହିଁ । ହେଲେ ଏହା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
ୟୁକ୍ରେନ ସହ ଋଷିଆର ଯୁଦ୍ଧ ଚାଲିଥିବା ବେଳେ ଉତ୍ତର କୋରିଆ ଋଷର ସୈନ୍ୟିକଙ୍କୁ ପଠାଇଥିଲା ସାହାଯ୍ୟ କରିବାକୁ । ହେଲେ ସେହି ସୈନିକଙ୍କ ମଧ୍ୟରୁ ପ୍ରାୟ ୧୮ ଜଣ ନିଜ ପୋଷ୍ଟ ଛାଡି କେଉଁ ଆଡ଼େ ପଳାଇଯାଇଛନ୍ତି । କୁହାଯାଉଛି କି, ଋଷିଆ ଶୀର୍ଷ କମାଣ୍ଡର ଏହି ଘଟଣା ସମ୍ପର୍କରେ ଏଯାଏ ଅବଗତ ନାହାନ୍ତି । ଏମିତିକି ତାଙ୍କୁ ଏହି ଘଟଣା ସମ୍ପର୍କରେ ଜାଣିଶୁଣି ଲୁଚା ଯାଇଥିବା ସୂଚନା ମିଳୁଛି ।
ସୂଚନା ଅନୁସାରେ, ଅକ୍ଟୋବର ୩ରେ ଡୋନେଟସ୍କ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣରେ ୨୦ରୁ ଅଧିକ ସୈନ୍ୟ ପ୍ରାଣ ହରାଇଥିଲେ । ସେମାନମଧ୍ୟରେ ୬ ଜଣ ଉତ୍ତର କୋରିଆ ସୈନ୍ୟ ଥିଲେ। ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଉତ୍ତର କୋରିଆ ରୁଷିଆକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ପ୍ରମୁଖ ଦେଶ ମଧ୍ୟରୁ ଅନ୍ୟତମ ଅଟେ । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସାମରିକ ଅସ୍ତ୍ରଶସ୍ତ୍ରର ବାର୍ଷିକ ଆବଶ୍ୟକତାର ୫୦ ପ୍ରତିଶତ ରୁଷିଆ ଉତ୍ତର କୋରିଆ ଉପରେ ନିର୍ଭର କରେ। ଯାହା ଦୁଇ ଦେଶ ମଧ୍ୟରେ ଥିବା ଶକ୍ତିଶାଳୀ ସାମରିକ ସହଯୋଗକୁ ସ୍ପଷ୍ଟ କରୁଛି ।
ଯୁଦ୍ଧ ଭିତରେ ଋଷିଆ ସହ ବାରମ୍ବାର ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଜେଲେନସ୍କି । କିନ୍ତୁ ଋଷିଆ ଆଲୋଚନା କରିବାକୁ ଚାହୁଁନାହିଁ । ତେଣୁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ କମୁନି । ଆଉ ଏବେ ପୁଣି ଥରେ ଋଷିଆର ସାମରିକ ସ୍ଥଳକୁ କ୍ଷେପଣାସ୍ତ୍ର ଟାର୍ଗେଟ୍ର ଅନୁମତି ମାଗିଛନ୍ତି ଜେଲେନସ୍କି । ଯେଉଁଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି ୟୁକ୍ରେନ୍-ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ମୁଣ୍ଡ ପୂରାଇବ । କିନ୍ତୁ ଉତ୍ତର କୋରିଆର ସୈନ୍ୟ କୁଆଡ଼େ ଗଲେ ତାହା ଉପରୁ ଏଯାଏ ପରଦା ଉଠିନି ।