କଳିଙ୍ଗ ଷ୍ଟାଡିୟମ୍ରେ ୧୭ ବର୍ଷରୁ କମ ଭାରତୀୟ ଫୁଟବଲ ଦଳ ମଙ୍ଗଳବାର ଆମେରିକା ସହ ଖେଳି ଅଭିଯାନ ଆରମ୍ଭ କରିବ। ଅକ୍ଟୋବର 14ରେ ମରକ୍କୋ ଓ ଅକ୍ଟୋବର ୧୭ରେ ବ୍ରାଜିଲ୍ ସହିତ ନିଜର ଅବଶିଷ୍ଟ ଗ୍ରୁପ୍ ‘ଏ’ ଲିଗ୍ ମ୍ୟାଚ୍ ଖେଳିବ। ଗ୍ରୁପ୍ ‘ବି’ର ଅନ୍ତିମ ଲିଗ୍ ମ୍ୟାଚ୍ ନାଇଜେରିଆ ଓ ଚିଲି ମଧ୍ୟରେ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ। ଭାରତର ସମସ୍ତ ୩ ଲିଗ୍ ମ୍ୟାଚ୍ ସହିତ କଳିଙ୍ଗ ଷ୍ଟାଡିୟମ୍ରେ ମୋଟ ୬ ମ୍ୟାଚ୍ ଖେଳାଯିବ। ବୁଧବାର ଭୁବନେଶ୍ବର ପହଞ୍ଚିଥିବା ବ୍ରାଜିଲ୍ ଦଳ ଗୁରୁବାରଠାରୁ ପ୍ରଶିକ୍ଷକ ସିମୋନ ଜାତୋବାଙ୍କ ତତ୍ତ୍ବାବଧାନରେ କଳିଙ୍ଗ ଷ୍ଟାଡିୟମ୍ରେ ଅଭ୍ୟାସ ଆରମ୍ଭ କରିଛି।
ଆୟୋଜକ ଭାବେ ଭାରତୀୟ ଯୁବାମାନେ ବିଶ୍ବକପ୍ ପଦାର୍ପଣର ସୁଯୋଗ ପାଇବେ। ସେପଟେ, ଫିଫା ଯୁବା ବିଶ୍ବକପ୍ ପାଇଁ ଅନ୍ଲାଇନ୍ ଓ ଅଫଲାଇନ୍ ଟିକେଟ୍ ବିକ୍ରି ଜାରି ରହିଛି। ଟିକେଟ୍ର ମୂଲ୍ୟ ୧୦୦ ଓ ୨୦୦ ଟଙ୍କା ରଖାଯାଇଛି। କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନମ୍ବର ୪-ଏ ନିକଟ କାଉଣ୍ଟରରୁ ଫୁଟ୍ବଲ୍ ପ୍ରଶଂସକମାନେ ଟିକେଟ୍ କିଣି ପାରିବେ। ମ୍ୟାଚ୍ ନଥିବା ଦିନ ପୂର୍ବାହଣ ୧୧ରୁ ସଂଧ୍ୟା ସଂଧ୍ୟା ୬ ଯାଏ ଏବଂ ମ୍ୟାଚ୍ ଦିନ ପୂର୍ବାହ୍ଣ ୧୧ରୁ ଦ୍ବିତୀୟ ମ୍ୟାଚ୍ ଆରମ୍ଭ ପର୍ଯ୍ୟନ୍ତ ଏହା ମିଳିବ।
ଅକ୍ଟୋବର ୧୧, ୧୪, ୧୭ ତାରିଖରେ ଦୁଇଟି ଲେଖାଏଁ ମ୍ୟାଚ୍ ଯଥାକ୍ରମେ ଅପରାହ୍ଣ ୪.୩୦ ଓ ରାତି ୮.୦୦ରେ ଖେଳାଯିବ। ଅନ୍ଲାଇନ୍ ଟିକେଟ୍ ମଧ୍ୟ fifa.com/ticketsରେ ଉପଲବ୍ଧ ରହିଛି। ୧୮ ବର୍ଷରୁ କମ୍ ବୟସର ଦର୍ଶକଙ୍କ ସହ ଜଣେ ବୟସ୍କ ଆସିଥିବା ବାଞ୍ଚନୀୟ। ୨ ବର୍ଷରୁ କମ୍ ବର୍ଷର ଦର୍ଶକଙ୍କ ପାଇଁ ଟିକେଟ୍ ଆବଶ୍ୟକ ନାହିଁ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।