
ନୂଆଦିଲ୍ଲୀ: ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଇଭିଏମ ଓ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡିଛି ।
ନିର୍ବାଚନୀ ଫଳାଫଳ ଜଣାପଡିବା ପରେ ଏନଡିଏକ ପୂର୍ଣ୍ଣ ବହୁମତ ନମିଳିଲେ ଉପା କଣ ଭୂମିକା ନିଭାଇବ ତାହା ଆଲୋଚନା ହୋଇଛି । ମମତା ବାନାର୍ଜୀ, ମାୟାବତୀ, ଅଖିଳେଶ ଯାଦବଙ୍କ ପରି ନେତାଙ୍କୁ ଉପା ନିଜ ଟିମରେ ନେବାକୁ ଚନ୍ଦ୍ରବାବୁ ନାଇଡୁ ରାହୁଲଙ୍କ ସହ ଆଲୋଚନା କରିଛନ୍ତି ।
ଇଭିଏମ ତ୍ରୁଟି ସମ୍ପର୍କିତ ବିରୋଧ ଦଳଙ୍କ ପିଟିସନ ଗତକାଲି ସୁପ୍ରିମକୋର୍ଟରେ ଖାରଜ ହେବା ପରେ ବିରୋଧୀ ଦଳ ଏକଜୁଟ ହୋଇଯାଇଛନ୍ତି । ଏଥିରେ ଆପ, ଟିଏମସି, ଆରଜେଡି, ବସପା ସହିତ ବହୁ ଦଳ ସାମିଲ ହୋଇଛନ୍ତି ।
ଏହାପୂର୍ବରୁ ମଧ୍ୟ ବିରୋଧୀମାନଙ୍କୁ ଏକାଠି କରିବାରେ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟ ଭୂମିକା ନିଭାଇଥିଲେ । ରାହୁଲ ଗାନ୍ଧୀଙ୍କ ସହ ବୈଠକରେ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ, ତାଙ୍କୁ ଇଭିଏମ ମେସିନରେ ଭରସା ନାହିଁ । 50 ପ୍ରତିଶତ ମତଦାନ ରସିଦ ମିଶାଇବାକୁ ପୂର୍ବରୁ ନିର୍ବାଚନ ଆୟୋଗ ମନା କରିଥିବା ବେଳେ ଏବେ ସୁପ୍ରିମକୋର୍ଟ ମଧ୍ୟ ଏହି ଯାଚିକା ଖାରଜ କରିଛନ୍ତି ।
ତେଣୁ ଏଭଳି ପରିସ୍ଥିତିରେ ବିରୋଧୀମାନେ କେଉଁ ରଣନୀତି ଆପଣେଇବେ ତାହା ସମ୍ପର୍କରେ ଚର୍ଚ୍ଚା ହୋଇଛି । ଭୋଟ୍ ଗଣତି ପୂର୍ବରୁ ବିରୋଧୀମାନେ ପୁଣି ଥରେ ବୈଠକ ଡାକିବାର ସମ୍ଭାବନା ରହିଛି ।
