
ନୂଆଦିଲ୍ଲୀ : ଦେଶରେ ମୌସୁମୀ ସକ୍ରିୟ ଯୋଗୁଁ ଅନେକ ରାଜ୍ୟରେ ବର୍ଷା ହେଉଛି। ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ଦୁଇ ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସାମର 23 ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ଦେଖା ଦେଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ଅନୁଯାୟୀ ବନ୍ୟା ଯୋଗୁଁ ଅନେକ ଲୋକେ ପ୍ରଭାବିତ ହେବା ସହ ଅନେକ ଧନଜୀବନ ମଧ୍ୟ ନଷ୍ଟ ହୋଇଛି। ଆସାମର ପ୍ରାୟ 9.26 ଲକ୍ଷ ଜନସଂଖ୍ୟା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ 18 ଜଣଙ୍କର ମୃତ୍ୟୁ ହୋଇଛି।
ASDMA ପକ୍ଷରୁ କୁହାଯାଇଛି ଯେ ଧମାଜୀ, ଲକ୍ଷ୍ମୀପୁର, ବିଶ୍ୱନାଥ, ଉଦଲଗୁରୀ, ଡାରଙ୍ଗ, ନାଲବାରୀ, ବାରପେଟା, ବଙ୍ଗାଇଗାଓଁ, କୋକ୍ରାଜହର, ଧୁବ୍ରି, ଦକ୍ଷିଣ ସଲମାରା, ଗୋଲପାରା, କାମ୍ରୁପ, ମୋରିଗାଓଁ, ହୋଜାଇ, ନାଗାଓଁ, ନାଗାଲନ, ନାଉଗାନୱା, ମଜୁଲି, ସିଭାସାଗର, ଅଙ୍ଗଲଙ୍ଗ ଜିଲ୍ଲାର 9 ଲକ୍ଷରୁ ଅଧିକ ଜନସଂଖ୍ୟା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଗତ 24 ଘଣ୍ଟା ମଧ୍ୟରେ, SDRF, ଜିଲ୍ଲା ପ୍ରଶାସନ ସମେତ ସମସ୍ତ ଏଜେନ୍ସି ପାଞ୍ଚଟି ଜିଲ୍ଲାର 9303 ଲୋକଙ୍କୁ ଉଦ୍ଧାର କରିଛନ୍ତି।
ବନ୍ୟା ପରିସ୍ଥିତିରେ 2071 ଟି ଗ୍ରାମ ପ୍ରଭାବିତ ହୋଇଛି ଏବଂ 68 ହଜାର ହେକ୍ଟରରୁ ଅଧିକ ଫସଲ ନଷ୍ଟ ହୋଇଯାଇଛି। କର୍ତ୍ତୃପକ୍ଷଙ୍କ ତରଫରୁ 12 ଟି ଜିଲ୍ଲାରେ 193 ଟି ରିଲିଫ୍ କ୍ୟାମ୍ପ ଏବଂ ବିତରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। 27 ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟ ଗୃହରେ ରଖାଯାଇଛି। ବ୍ରହ୍ମପୁତ୍ର ନଦୀ ଅନେକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ରାଜ୍ୟ ସରକାରଙ୍କ ଚିନ୍ତାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।
