ପୂର୍ବରୁ ସେୱ୍ବରୀରୁ ନହୱା ଶେୱା ଯିବାକୁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗୁଥିଲା । ଏବେ ଅଟଳ ସେତୁ ଏହି ସମୟକୁ ଘଟାଇ ୨୦ ମିନିଟ କରିଦେଇଛି । ମୁମ୍ବାଇ ବିମାନ ବନ୍ଦରରୁ ନଭି ମୁମ୍ବାଇ ବିମାନ ବନ୍ଦର ଯିବାକୁ ଲାଗୁଥିଲା ୨ ଘଣ୍ଟା ସମୟ । ଏବେ ଏହି ଦୂରତା ଅତିକ୍ରମ କରିବାକୁ ଲାଗିବ ମାତ୍ର ୨୦ରୁ ୨୫ ମିନିଟ ସମୟ । ମୁମ୍ବାଇରୁ ପୁଣେ, ଗୋଆ ଆଦି ସହରକୁ ମଧ୍ୟ କମିଛି ଦୂରତା ।
ଅଧିକ ପଢନ୍ତୁ ଭାରତ ଖବର
ଏହି ୬ ଲେନ୍ ବିଶିଷ୍ଟ ପୋଲ ନିର୍ମାଣ ପାଇଁ ୧୭ ହଜାର ୮୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସମୁଦ୍ର ଉପରେ ଏହି ପୋଲର ଦୂରତା ୧୬.୫ କିମି ରହିଛି । ଏହି ପୋଲରେ ୧୦୦ କିମି ବେଗରେ ଗାଡ଼ି ଚଳାଇବାକୁ ଅନୁମତି ରହିଛି । ସେତୁ ଉପରେ ଚଢ଼ିବା ଓ ବାହାରିବା ସମୟରେ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ । ଅଟୋରିକ୍ସା, ବାଇକ, ଟ୍ରାକ୍ଟର ଆଦି ଗାଡ଼ି ଗୁଡ଼ିକୁ ପୋଲରେ ଯିବାକୁ ଅନୁମତି ଦିଆଯାଇନାହିଁ । ସେହିପରି ଦେଶରେ ପ୍ରଥମ ସେତୁ ଭାବେ ଏଠାରେ ଓପନ୍ ରୋଡ ଟୋଲିଂ ସିଷ୍ଟମ ରହିଛି ।
ମୁମ୍ବାଇ ଅଭିମୁଖେ ଯାଉଥିବା ମଲ୍ଟି-ଏକ୍ସଲ୍ ଭାରୀ ଯାନ, ଟ୍ରକ୍ ଏବଂ ବସ୍ଗୁଡ଼ିକୁ ଏଣିକି ଇଷ୍ଟର୍ଣ୍ଣ ଫ୍ରି-ୱେରେ ପ୍ରବେଶ କରିବାକୁ ପଡ଼ିବ ନାହିଁ । ଟ୍ରାଫିକ୍ ଜାମ୍ ଆଦି ସମସ୍ୟାରୁ ମୁକ୍ତି ପାଇବେ ମୁମ୍ବାଇବାସୀ । ସବୁଠାରୁ ବଡ଼ କଥା ଏହି ସେତୁ ଦେଇ ପ୍ରତିଦିନ ୭୦ ହଜାରରୁ ଅଧିକ ଗାଡି ଯିବା ଆସିବା କରିବ । ୨୦୧୬ ମସିହା ଡିସେମ୍ବର ମାସରେ ଅଟଳ ସେତୁ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।