
ଅଯୋଧ୍ୟା : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆଉ ଗୋଟିଏ ପାଦ ଆଗକୁ ବଡ଼ିଛି। ଗତ ଗୁରୁବାର ରାମ ମନ୍ଦିର ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟ ଆକ୍ଟିଭ୍ ହୋଇଛି। ଅଯୋଧ୍ୟାର ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚରେ ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏକ ଆକାଉଣ୍ଟ ଖୋଲାଯାଇଛି।
ଚମ୍ପତ ରାୟ, ଅନିଲ ମିଶ୍ରା ଏବଂ ଗୋବିନ୍ଦଦେବ ଗିରିଙ୍କ ନାମରେ ଏହି ସଂଯୁକ୍ତ ଆକାଉଣ୍ଟ ଖୋଲାଯାଇଛି। ଗୁରୁବାର ରାମ ମନ୍ଦିର ଟ୍ରଷ୍ଟକୁ ଆୟକର ବିଭାଗ ପକ୍ଷରୁ ଏକ ପ୍ୟାନ ନମ୍ବର ଜାରି କରାଯାଇଛି। ତେବେ ଲୋକମାନଙ୍କ ପାଇଁ ଏହି ଆକାଉଣ୍ଟ 15 ଦିନ ପରେ ଆକ୍ଟିଭ୍ ହେବ। ଆୟକର ଅଧିନିୟମରୁ ଟ୍ରଷ୍ଟକୁ ମୁକ୍ତି ମିଳିବା ପରେ ଅଧିକ ମାତ୍ରାରେ ସାଧାରଣ ଲୋକେ ଦାନ ଦକ୍ଷିଣା ପାଇଁ ସହଯୋଗର ହାତ ବଢାଇବେ ବୋଲି ଅନୁମାନ କରାଯାଉଛି।
ଏହା ପୂର୍ବରୁ ଫେବୃଆରୀ 5ରେ କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିଥିଲେ। ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଏହାର ଘୋଷଣା କରିଥିଲେ। ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟରେ ସମୁଦାୟ 15 ଜଣ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ 9 ଜଣ ସ୍ଥାୟୀ ଓ 6 ଜଣ ନାମିତ ସଦସ୍ୟ ଅଛନ୍ତି। କେ. ପରାସରନ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ଅଧ୍ୟକ୍ଷ ଭାବରେ ବିବେଚିତ ହୋଇଛନ୍ତି।
