ଖାଲି ଜିଲ୍ଲା ମାନ୍ୟତା ନୁହେଁ ବରଗଡ଼- ପଦମପୁର- ନୂଆପଡ଼ା ରେଳପଥ ପ୍ରସଙ୍ଗ ବି ଶାସକ ଦଳ ପାଇଁ ସାଜିଛି ଅଡୁଆ। ସେଥିପାଇଁ ବାରମ୍ବାର 2019ର ଏକ ପୁରୁଣା ଚିଠି ଦେଖାଇ ଦୋଷ ଝାଡ଼ିବାକୁ ଚେଷ୍ଟା କରୁଛି ବିଜେଡି । 31 ଡିସେମ୍ବର 2021ରେ ଭାରତ ସରକାର ଏହି ପ୍ରକଳ୍ପକୁ ଦେଇସାରିଛନ୍ତି ମଞ୍ଜୁରୀ। ଏହାର ପ୍ରମାଣ ସହ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଚିଠି ଲେଖି ଜଣାଇଥିଲେ ଖୋଦ୍ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେଥିପାଇଁ ପଦମପୁରରେ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ କରିଥିଲେ ଅଶ୍ବିନୀ। ରେଳ ଓ ଜିଲ୍ଲା ମାନ୍ୟତା ପ୍ରସଙ୍ଗ ପଦମପୁର ବାଜି ଜିତିବାରେ ହେବ ନିର୍ଣ୍ଣାୟକ। ସେଥିପାଇଁ ଦୁଇ ଇସ୍ୟୁରେ ବ୍ୟାକଫୁଟରେ ଥିବା ବିଜେଡି ଔଷଧ ବିକଳରେ ତାଟିଆ କାମୁଡ଼ିବା ନାଁରେ ବାରମ୍ବାର ଏହି ପ୍ରସଙ୍ଗ ଉଠାଇ ଦୋଷ ଝାଡ଼ିବାକୁ ଚେଷ୍ଟା କରୁଛି। କିନ୍ତୁ ତଥ୍ୟ ପ୍ରମାଣ ସହ ମେଳ ଖାଉନି ଶାସକ ଦଳର ପ୍ଲାନ୍।

ଅର୍ଗସ ବ୍ୟୁରୋ: ପୂର୍ବରୁ ରେଳ ପ୍ରସଙ୍ଗରେ ରାଜ୍ୟକୁ ଆହ୍ବାନ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଉଭୟ ପ୍ରସଙ୍ଗକୁ ନେଇ ଏବେ ଅଡୁଆରେ ଶାସକ ଦଳ। ସେପଟେ ପୁରଣା ଚିଠି ଦେଖାଇ ରେଳ ରୋଷରୁ ବର୍ତ୍ତିବାକୁ ବିଜେଡି ପ୍ରୟାସ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ବିଧାନସଭା ଉତ୍ତର ଖୋଲିଲା ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତିର ରାଜ୍। 28 ଜୁଲାଇ 2022 ର ଏ ବିଧାନସଭା ଉତ୍ତରକୁ ଦେଖନ୍ତୁ । ରାଜସ୍ବ ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ରାଜ୍ୟରେ ଜିଲ୍ଲା ପୂନର୍ଗଠନ ନେଇ ରାଜ୍ୟ ସରକାରଙ୍କର ନାହିଁ କୌଣସି ଯୋଜନା। ଯଦିଓ 2019 ରେ ପଦମପୁରବାସୀଙ୍କୁ ଜିଲ୍ଲା ଗଠନ ନେଇ ସକରାତ୍ମକ ନିର୍ଣ୍ଣୟ ପାଇଁ ଭରସା ଦେଇଥିଲେ ମୁଖ୍ୟମନ୍ତ୍ରୀ। ସେଥିପାଇଁ ଦଳର ସଭାପତି ଭାବେ ନବୀନଙ୍କୁ କଥାକୁ ବିଶ୍ବାସକୁ ନେଉନାହାନ୍ତି ପଦମପୁର ବାସୀ । ଏ ପ୍ରସଙ୍ଗରେ ବ୍ୟାକଫୁଟରେ ଶାସକ ଦଳ। ସେଥିପାଇଁ ପଦମପୁର ମଇଦାନରୁ ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
