ନୂଆଦିଲ୍ଲୀ: କେରଳରେ ଚିହ୍ନଟ ହେଲା ଦ୍ୱିତୀୟ କୋରୋନା ଭାଇରସ୍ ରୋଗୀ । ରୋଗୀ ଜଣଙ୍କ କିଛିଦିନ ହେବ ଚୀନ୍ରୁ ଫେରିଛନ୍ତି । ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ହସ୍ପିଟାଲର ଆଇସୋଲେଶନ ଓ୍ୱାର୍ଡରେ ରଖାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।
ଏଠି କହି ରଖୁଛୁ ଯେ, କୋରୋନାରେ ଆକ୍ରାନ୍ତ ପ୍ରଥମ ରୋଗୀ କେରଳରୁ ହିଁ ଚିହ୍ନଟ ହୋଇଥିଲେ । 30 ଜାନୁଆରୀରେ ଚୀନ୍ରୁ ଫେରିଥିବା ଛାତ୍ରଙ୍କ ଦେହରେ କୋରୋନା ଭୁତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା । ଏହି ଛାତ୍ରଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ଓ୍ୱାର୍ଡ ତିଆରି କରାଯାଇଛି । ଏହି ସୂଚନା ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଶୁକ୍ରବାର ଦିନ ଦେଇଥିଲେ ।
ଏପଟେ ଚୀନ୍ରେ ମହାମାରୀ ରୂପ ନେଇଛି କୋରୋନା । ଚୀନ୍ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି କୋରୋନା ଭାଇରସ୍ରେ ଚୀନ୍ର ମୃତ୍ୟୁ ସଂଖ୍ୟା 304କୁ ବୃଦ୍ଧି ପାଇଲାଣି । ଏଥିସହିତ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 14 ହଜାର ପର୍ଯ୍ୟନ୍ତ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ଚୀନ୍ ସରକାର ।