ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ପହଞ୍ଚିଛନ୍ତି । ତାଙ୍କୁ ଓ ତାଙ୍କ ପରିବାରଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ଅହମ୍ମଦାବାଦର ଏୟାରପୋର୍ଟରେ । ପିଏମ ମୋଦି ପ୍ରୋଟକଲ ଭାଙ୍ଗି ଟ୍ରମ୍ପଙ୍କୁ ସ୍ୱାଗତ ଜଣାଇଥିଲେ । ଏହାପରେ ମୋଦିଙ୍କ ସହ ଟ୍ରମ୍ପ, ମେଲାନିଆ ଯାଇ ପହଞ୍ଚିଥିଲେ ସାବରମତି ଆଶ୍ରମରେ । ସାବରମତି ଆଶ୍ରମରେ ପହଞ୍ଚି ମହାତ୍ମାଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ । ସେଠାରେ ଡୋନାଲ୍ଡ ଟ୍ରମ୍ପ ଅରଟ ମଧ୍ୟ ଚଲାଇଥିଲେ । ଏହା ବିଷୟରେ ପିଏମ ନରେନ୍ଦ୍ର ମୋଦି ନିଜେ ବୁଝାଇଥିଲେ ପରେ ଅରଟରେ ଟ୍ରମ୍ପ ସୁତା କାଟିଥିଲେ । ସାବରମତି ଆଶ୍ରମ ଗସ୍ତ ପରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଭାଗ ନେବେ ଦୁଇ ନେତା ।
ଏପଟେ ଟ୍ରମ୍ପଙ୍କ ଗସ୍ତକୁ ନେଇ ସାରା ଦେଶରେ ଉତ୍ସାହ ମାହୋଲ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସିରେ ମଧ୍ୟ ଏହି ଗସ୍ତକୁ ନେଇ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଟ୍ରମ୍ପଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୋମବାର ଦିନ ଆମେରିକା ସୁରକ୍ଷା ସର୍ବିସର ଟିମ୍ ଅହମ୍ମଦାବାଦରେ ପହଞ୍ଚିଛି । ଏହି ଟିମ୍ ସହ ସ୍ନାଇଫର ଡଗ୍ ମଧ୍ୟ ଆସିଛନ୍ତି ।
ଡୋନାଲ୍ଡ ଟ୍ରମ୍ପ ଭାରତର ତିନୋଟି ସହର ପରିଦରର୍ଶନ କରିବେ । ତାଙ୍କ ଗସ୍ତ ଅହମ୍ମଦାବାଦରୁ ଆରମ୍ଭ ହୋଇଛି । ସନ୍ଧ୍ୟାରେ ଆଗ୍ରା ଯିବେ, ସେଠାରେ ଟ୍ରମ୍ପ ଦମ୍ପତ୍ତି ତାଜମହଲ ବୁଲି ଦେଖିବେ । ଟ୍ରମ୍ପଙ୍କ ଖାଦ୍ୟପେୟରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

