ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ରହିଲା ମାତ୍ର ଦୁଇ ଦିନ । ଏହାରି ଭିତରେ ସାହିନବାଗ ହିଂସାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତରେ ଲାଗିଛି ସାଂଘାତିକ ତଥ୍ୟ । ସିଏଏ ବିରୋଧୀ ହିଂସା ପାଇଁ ପପୁଲାର ପ୍ରଣ୍ଟ ଅଫ ଇଣ୍ଡିଆ ବା ପିଏଫଆଇ ଟଙ୍କା ଦେଉଥିବା ପୂର୍ବରୁ ଜଣାପଡ଼ିଥିଲା । ଏପରିକି ଉତ୍ତରପ୍ରଦେଶର ବହୁ ଜିଲ୍ଲାରେ ହୋଇଥିବା ବିରୋଧ ପ୍ରଦର୍ଶନରେ କୋଟି କୋଟି ଟଙ୍କା ଲଗାଇଥିଲା ପିଏଫଆଇ । ସେହିଭଳି ସାହିନବାଗ୍ରେ ଚାଲିଥିବା ବିରୋଧ ପ୍ରଦର୍ଶନ ପାଇଁ ଟଙ୍କା ଦେଇଛି ପିଏଫଆଇ । ଏପରିକି ପିଏଫଆଇ ସହ କଂଗ୍ରେସ ଏବଂ ଆପ୍ର ବହୁ ନେତା ହାତ ମିଶାଇଥିବା ନେଇ ମଧ୍ୟ ଇଡି ସୁରାକ୍ ପାଇଛି । ଏ ସମସ୍ତ ତଥ୍ୟକୁ ଇଡି ବନ୍ଦ ଲଫାପାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଥିବା ସୂଚନା ମିଳିଛି ।
ଇଡି ରିପୋର୍ଟ ମୁତାବକ ପିଏଫଆଇର ଆକ୍ଟିଭିଷ୍ଟ ଏବଂ କାର୍ଯ୍ୟକର୍ତ୍ତା ଦେଶବ୍ୟାପୀ ଫଣ୍ଡ ଯୋଗାଡ଼ କରୁଛନ୍ତି । ଯେଉଁ ସ୍ଥାନରୁ ଏହିସବୁ ଟଙ୍କା ଆଦାୟ କରାଯାଉଛି ତାହାକୁ ସେଠାକର ଜଣେ ପିଏଫଆଇ କାର୍ଯ୍ୟକର୍ତ୍ତାଙ୍କୁ ଦିଆଯାଉଛି । ସେ ସେହି ଟଙ୍କା ଧରି ଦିଲ୍ଲୀରେ ପହଞ୍ଚୁଛନ୍ତି । ଦିଲ୍ଲୀରେ ପହଞ୍ଚିବାରେ ଆଦାୟ ରାଶିକୁ ପିଏଫଆଇର ମୁଖ୍ୟାଳୟରେ ଜମା କରାଯାଉଛି । ପିଏଫଆଇର ମୁଖ୍ୟାଳୟ ସାହିନବାଗ୍ ପାଖରେ ଅବସ୍ଥିତ । ପିଏଫଆଇର ଦିଲ୍ଲୀ ମୁଖ୍ୟ ମହମ୍ମଦ ପରବେଜ୍ ଅହମ୍ମଦ ଏବଂ ଅନ୍ୟ ପାର୍ଟି କାର୍ଯ୍ୟକର୍ତ୍ତା ସିଏଏ ବିରୋଧ ପ୍ରଦର୍ଶନରେ ସାମିଲ ଥିଲେ ।
ସିଏଏ ପାସ୍ ହେବା ପରେ ମୋଟ 15 ବ୍ୟାଙ୍କ ଖାତାରେ 1.04 କୋଟି ଟଙ୍କା ଜମା କରାଯାଇଥିଲା । ଯେଉଁଥିରେ 10 ଖାତା ପିଏଫଆଇ ଏବଂ ଅନ୍ୟ 5 ଆକାଉଣ୍ଟ ରେହାବ ଇଣ୍ଡିଆ ଫାଉଣ୍ଡେସନ ନାଁରେ ଥିଲା । 4 ଡିସେମ୍ବର 2019ରୁ 6 ଜାନୁଆରୀ 2020 ପର୍ଯ୍ୟନ୍ତ ଏହିସବୁ ଖାତାରେ ମୋଟ 1.34 କୋଟି ଜମା କରାଯାଇଥିଲା । ଏହିସବୁ ଟଙ୍କା ସିଏଏ ବିରୋଧ ହିଂସାରେ ବ୍ୟବହାର କରାଯାଇଥିଲା ବୋଲି ଇଡି ପକ୍ଷରୁ ସୂଚନା ମିଳିଛି ।
ଏହି ଭଳି ଭାବେ ପିଏଫଆଇ ବିରୁଦ୍ଧରେ ଏନଆଇଏ ଯାଞ୍ଚ କରୁଥିବା ବେଳେ ସେହିଭଳି 73 ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧରେ ଜାଣିବାକୁ ମିଳିଛି । ଯେଉଁଥିରେ ପିଏଫଆଇର 27, ରେହାବ ଇଣ୍ଡିଆ ଫାଉଣ୍ଡେସନ୍ର 9ଟି ଆକାଉଣ୍ଟ ଥିବା ବେଳେ 17ଟି ଅଲଗା ବ୍ୟାଙ୍କରେ 37 ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ରହିଛି । ଏହିସବୁ ଆକାଉଣ୍ଟରେ 120.5 କୋଟି ଟଙ୍କା ଜମା କରାଯାଇଥିବା ବେଳେ ସେହି ଦିନ କିମ୍ବା କିଛି ଦିନ ଭିତରେ ସବୁ ଟଙ୍କା ଉଠାଇ ଦିଆଯାଇଥିଲା ।
କେବଳ ସେତିକି ନୁହେଁ ମହମ୍ମଦ ପରବେଜ୍ ଆପ୍ ନେତା ସଂଞ୍ଜୟ ସିଂହଙ୍କ ସହ ଫୋନରେ କଥା ହେଉଥିବା ଏବଂ ହ୍ୱାଟ୍ସଆପ୍ରେ ମେସେଜ୍ କରୁଥିବା ମଧ୍ୟ ପ୍ରମାଣ ମିଳିଛି । ଏପରିକି ପରବେଜ୍ କିଛି କଂଗ୍ରେସ ନେତାଙ୍କ ସମ୍ପର୍କରେ ଥିବା ଜଣାପଡ଼ିଛି । ଯେଉଁଥିରେ ଉଦିତ ରାଜଙ୍କ ନାଁ ମଧ୍ୟ ସାମିଲ ଅଛି । ଭୀମ ଆଦମି ଭଳି ପାର୍ଟିର ହ୍ୱାଟ୍ସଆପ ଗ୍ରୁପରେ ପରବେଜ ଥିବା ମଧ୍ୟ ଜଣାପଡ଼ିଛି । ଏହାସହ ତଦନ୍ତକାରୀ ସଂସ୍ଥା ନିଜ ରିପୋର୍ଟରେ ସଂଜୟ ସିଂହଙ୍କ ହ୍ୱାଟ୍ସଆପ୍ ଚାଟ୍ ଡିଟେଲ୍ସ ଦେଇଛି ଯେଉଁଥିରେ ଥାନା ସାମ୍ନାରେ ବିରୋଧ ପ୍ରଦର୍ଶନ ଉପରେ ଆଲୋଚନା ହୋଇଥିବା କୁହାଯାଉଛି ।
