ଦ୍ରୌପଦୀ ସାଜିଜାଇଛନ୍ତି କି ଦଳିତ, ଉପେକ୍ଷିତ ଗରିବ, ଆଦିବାସୀ , ଶୋଷିତ ଓ ବଞ୍ଚିତଙ୍କ ମସିହା ..... ସ୍ୱାଧୀନତାର 75 ବର୍ଷ ଅପେକ୍ଷା କରିବାକୁ ପଡିଲା ଆଦିବାସୀ ସମାଜର ଜଣେ ବ୍ୟକ୍ତିଙ୍କୁ ଦେଶର ସବୁଠାରୁ ବଡ ଆସନରେ ବସିବାକୁ । ସାମାଜିକ ଓ ଆର୍ଥିକ ବିକାଶର ଶେଷ ପାହଚର ମଣିଷ କିଏ ତାର ପ୍ରତିନିଧି ବନିଯାଇଛନ୍ତି ଦ୍ରୌପଦୀ ।
ଦ୍ରୌପଦୀଙ୍କ ରାଷ୍ଟ୍ରପତି ହେବା ଭାରତୀୟ ଗଣତନ୍ତ୍ରର ଶକ୍ତିକୁ ରାଜରାସ୍ତାକୁ ଆଣିଛି । ମୋଦି ଯେଉଁ ଗରୀବ କଲ୍ୟାଣ ନାରାକୁ ସୁଶାସନର ମେରୁଦଣ୍ଡ କରିଥିଲେ, ପୂର୍ବଭାରତର ବିକାଶକୁ ଶାସନର କେନ୍ଦ୍ରବିନ୍ଦୁକୁ ଆଣିଥିଲେ ସେହି ବର୍ଗର ଉଜ୍ଜଳ ପ୍ରତିନିଧି ଦ୍ରୌପଦୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ , ଆଦିବାସୀ, ଦଳିତ, ଶୋଷିତ ଓ ବଞ୍ଚିତ ମାଷ୍ଟରଷ୍ଟ୍ରୋକ୍ ଆଗରେ କେବଳ ମୋଦୀ ବିରୋଧୀମାନେ ୟୁଟଣ୍ଣ ନେଇନଥିଲେ ବରଂ ରାଜରାସ୍ତାରେ ମୋଦି ନିର୍ଣ୍ଣୟର ସାକାରତ୍ମକ ପ୍ରତିଛବି ଦେଖିବାକୁ ମିଳିଥିଲା ।
ପିଲାଦିନ ଯାଇଛି ଗରିବୀ ଓ ସଂଘର୍ଷରେ । ପାଠପଢାରୁ ଛୋଟ ସରକାରୀ ଚାକିରୀ, ଅବୈତନିକ ଶିକ୍ଷକ, କାଉନସିଲରୁ ବିଧାୟକ ଓ ମନ୍ତ୍ରୀ ପୁଣି ନିଜ ସ୍ୱାମୀ ଓ ଦୁଇ ପୁଅଙ୍କ ଅକାଳ ବିୟୋଗ କେଉଁଠି ବି ଭାଙ୍ଗି ନପଡି ଧୈର୍ଯ୍ୟ ଓ ନିଷ୍ଠାର ସହ ବଡ ସଂଗ୍ରାମର ଅନ୍ୟନାମ ଦ୍ରୌପଦୀ।
ଦ୍ରୌପଦୀଙ୍କ ବିଜୟ ଉତ୍ସବର ଚିତ୍ର ବର୍ଣ୍ଣନା କରୁଛି, ଦେଶର ଗରିବ, ଆଦିବାସୀ, ଦଳିତ, ଉପେକ୍ଷିତ, ଶୋଷିତ ଓ ବଞ୍ଚିତ ମାନେ ଭାବୁଛନ୍ତି ତାଙ୍କ ଭିତରୁ ଜଣେ ପହଁଚିଯାଇଛି ରାଷ୍ଟ୍ରମୁଖ୍ୟ ହୋଇ । ଦ୍ରୌପଦୀଙ୍କ ଭିତରେ ନିଜର ଉପସ୍ଥିତିକୁ ଅନୁଭବ କରି ରାଜରାସ୍ତାରେ ପାଳୁଛି ସତେ ଯେମିତି ନିଜର ବିଜୟ ଉତ୍ସବ ।
ଏବେ ପାର୍ଲାମେଣ୍ଟର ଐତିହାସିକ ସେଣ୍ଟ୍ରାଲ ହଲ୍ ପ୍ରସ୍ତୁତ । କୋବିନ୍ଦଙ୍କୁ ଦିଆସରିଛି ବିଦାୟୀ ସମ୍ବର୍ଦ୍ଦନା । କେବଳ ଦାୟିତ୍ୱ ହସ୍ତାନ୍ତର ହେଲେ ଦ୍ରୌପଦୀ ହେବେ ସର୍ବେସର୍ବା । ଦେଶ ସେନାର ସୁପ୍ରିମ କମାଣ୍ଡର ଓ ସମ୍ବିଧାନର ସୁରକ୍ଷା କର୍ତ୍ତା । ରାଇସିନା ହିଲ୍ ଉପରେ ରାଇରଙ୍ଗପୁର ମାନେ ଦେଶର ଉପାନ୍ତ, ଗରୀବ ଓ ପଛୁଆଙ୍କ ରାଜ ।