ଅଦିନିଆ ରଥଯାତ୍ରାକୁ ଗଜପତିଙ୍କ ବାରଣ । ଇସ୍କନକୁ ଚିଠି ଲେଖି ଅଦିନିଆ ରଥଯାତ୍ରା ନ କରିବାକୁ କହିଲେ ଗଜପତି । ସୂଚନା ଅନୁସାରେ, ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ହୋଇଛି ଅଦିନିଆ ରଥଯାତ୍ରା ଆୟୋଜନ । ଇସ୍କନର ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଗଜପତି ଚିଠି ଲେଖିଛନ୍ତି । କହିଛନ୍ତି, ଅଦିନିଆ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି । ଶ୍ରୀଜିଉଙ୍କ ରଥଯାତ୍ରାକୁ ନେଇ ସ୍ବତନ୍ତ୍ର ବିଧି ପରମ୍ପରା ରହିଥିବା ବେଳେ, ଇସ୍କନ କିନ୍ତୁ ଏହାର ବାରମ୍ବାର ବ୍ୟତିକ୍ରମ କରୁଛି । ହ୍ୟୁଷ୍ଟନ ସହରରେ ଆଗାମୀ ନଭେମ୍ବର ୩ରେ ସ୍ନାନଯାତ୍ରା ଏବଂ ୯ରେ ରଥଯାତ୍ରା ଆୟୋଜନ ପାଇଁ ଚାଲିଛି ପ୍ରସ୍ତୁତି । ଯାହାକୁ ବିରୋଧ କରିଛନ୍ତି ଜଗନ୍ନାଥ ପ୍ରେମୀ ।
ପୂର୍ବରୁ ୨୦୦୮ରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇ ଏକ ପ୍ରସ୍ତାବକ ପ୍ରସ୍ତୁତ ହୋଇଥିଲା ଏବଂ ଇସ୍କନ ବ୍ୟୁରୋକୁ ନିଜେ ଚିଠି କରିଥିଲେ ଗଜପତି ଦିବ୍ୟ ସିଂହଦେବ । ଇସ୍କନ ଏହାର ବ୍ୟତିକ୍ରମ କରିବାରୁ ୨୦୧୯ରେ ପୁଣି ଥରେ ଚିଠି କରାଯାଇଥିଲା। ୨୦୨୧ରେ ଇସ୍କନ ବ୍ୟୁରୋ ପକ୍ଷରୁ ଗଜପତିଙ୍କୁ ଚିଠି କରି ଭାରତରେ ଏଭଳି ଆଉ ବ୍ୟତିକ୍ରମ ହେବ ନାହିଁ ବୋଲି ଜଣାଇ ଦିଆଯାଇଥିଲା । କିନ୍ତୁ ପୁଣି ଥରେ ଅଦିନରେ ଇସ୍କନ ପକ୍ଷରୁ ଏଭଳି ରଥଯାତ୍ରା ଆୟୋଜନ ହେଉଥିବାରୁ ଗଜପତି ନିଜେ ଚିଠି ଲେଖି ଏପରି ନକରିବାକୁ ବାରଣ କରିଛନ୍ତି । ସେପଟେ, ଆମେରିକାରେ ଓଡ଼ିଆ ସମାଜ ମଧ୍ୟ ଇସ୍କନ ଅଦିନ ରଥଯାତ୍ରାକୁ ବିରୋଧ କରୁଛନ୍ତି ।
ଆମେରିକାର ହ୍ୟୁଷ୍ଟନରେ ଥିବା ଓଡ଼ିଶା କଲଚର ସେଣ୍ଟରର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦେବାନନ୍ଦ ପତି ଇସ୍କନ ସଂଗଠନକୁ ଏ ନେଇ ଚିଠି ଲେଖିଛନ୍ତି । ଅସମୟରେ ଜଗନ୍ନାଥ ରଥଯାତ୍ରା ଆୟୋଜନ ନକରିବାକୁ ଅନୁରୋଧ କରି ଚିଠି ଲେଖିବାର ୭ ଦିନ ପରେ ବି ଇସ୍କନ ପକ୍ଷରୁ ଏ ନେଇ କୌଣସି ଉତ୍ତର ଆସିନାହିଁ । ଦେବାନନ୍ଦ ଚିଠିରେ ଉଲ୍ଲେଖ କରିଥିଲେ ଯେ ଶ୍ରୀଜଗନ୍ନାଥ ରଥଯାତ୍ରା ପରମ୍ପରାଗତ ରୀତିରେ ଶତାବ୍ଦୀ ଶତାବ୍ଦୀ ଧରି ପାଳିତ ହୋଇଆସୁଛି । ଅସମୟରେ ରଥଯାତ୍ରା ଅନୁଷ୍ଠିତ ହେଲେ ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ କରିପାରେ ।
ଇଏ ଥରେ କି ଦୁଇଥର ନୁହେଁ ବାରମ୍ବାର ଏମିତି ଭାବରେ ଇସ୍କନ ପକ୍ଷରୁ ରଥଯାତ୍ରାର ଆୟୋଜନ ହେଉଛି ଯାହାକୁ ନେଇ ପ୍ରତିବାଦ ବି ହେଉଛି । ହେଲେ ଖୋଦ ଗଜପତି ମହାରାଜା ଏନେଇ ପ୍ରତିକ୍ରିୟା ରଖିବା ପରେ ଚର୍ଚ୍ଚା ବଢିଛି ।