ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଏବେ ଭାରତ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପ୍ରସ୍ତୁତ ହୋଇଛି । ବାରମ୍ବାର ଭାରତ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଉଦ୍ୟମ କରୁଛି । ବାରମ୍ବାର ଅସ୍ତ୍ରବିରତୀ ନିୟମ ଉଲଂଘନ କରି ଭାରତୀୟ ସୀମାରେ ଗୁଳି ବର୍ଷା କରୁଛି । ମାତ୍ର ଏବେ ଭାରତ ସହିବାର ସୀମା ଅତିକ୍ରମ କରିସାରିଛି । ବାରମ୍ବାର ଚେତାବନୀ ପରେ ବି ଯଦି ପୁଣି ଆକ୍ରମଣ କରେ, ତେବେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ପାକିସ୍ତାନକୁ । ଯଦି ଆଗକୁ ପାକିସ୍ତାନ ଥରଟିଏ ବି ଆକ୍ରମଣ କରେ ତେବେ ଭାରତ ତାକୁ ସହଜରେ ଛାଡ଼ିବ ନାହିଁ । ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଜାତୀୟ ଗଣମାଧ୍ୟମକୁ ମିିଳିଥିବା ସୂଚନା ଅନୁସାରେ ଭାରତ ପାଖରେ ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ସବୁ ପ୍ରକାରର ବିକଳ୍ପ ରହିଛି । ବାଲାକୋଟରେ କରାଯାଇଥିବା ଆକ୍ରମଣ ପ୍ରଭାବରେ ପାକିସ୍ତାନରେ ଆତଙ୍କବାଦୀ ନେଟୱାର୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଜଣାପଡ଼ିଛି । ସରକାରୀ ସୂତ୍ର ଅନୁସାରେ ବାଲାକୋଟରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ତାଲିମ କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ପୁରା ହୋଇଛି ଏବଂ ଏବେ ଭାରତ ଲକ୍ଷ୍ୟ ରଖିଛି ଯେ, ପାକିସ୍ତାନ ନିଜ ମାଟିରେ ପରିଚାଳିତ ହେଉଥିବା ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।
ସୁରକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଗତ ସପ୍ତାହରେ ଭାରତୀୟ ବାୟୁସେନା ସର୍ଜିକାଲ ଷ୍ଟ୍ରାଇକ ମାଧ୍ୟମରେ ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲା । ଏହି ଘଟଣାରେ ପ୍ରାୟ ୩୫୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ପାକିସ୍ତାନ ଏହାକୁ ଖଣ୍ଡନ କରୁଛି । ଅନ୍ୟପଟରେ ଏହି ଘଟଣାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଳାଗିରହିଛି । ବାଲାକୋଟ ଆକ୍ରମଣ ପରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଗତ ସପ୍ତାହରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା ଯେ, ଜୈଶ-ଏ-ମହମ୍ମଦର ବହୁ ସଂଖ୍ୟାରେ ଆତଙ୍କବାଦୀ, ପ୍ରଶିକ୍ଷକ, ବରିଷ୍ଠ କମାଣ୍ଡର ଏବଂ ଆତ୍ମଘାତୀ ଆକ୍ରମଣ ଲାଗି ପ୍ରଶିକ୍ଷିତ ଜିହାଦି ଗୋଷ୍ଠୀ ନିହତ ହୋଇଛନ୍ତି ।
