ଛତିଶଗଡ଼ ନାୟାରଣପୁରରେ ସୁରକ୍ଷା ବାହିନୀ 31 ଜଣ ମାଓବାଦୀଙ୍କୁ ନିପାତ କରିବା ପରେ ଦେଶରେ ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା ପାଇଁ ଆଜି ଦିଲ୍ଲୀରେ ବସୁଛି ଉଚ୍ଚସ୍ତରୀୟ ବୈଠକ । ବିଜ୍ଞାନ ଭବନରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ନକ୍ସଲ ପ୍ରଭାବିତ 8ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ ।
ମିଟିଂରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶ ସହାୟତା ଯୋଗାଇଦେବା ସହ ଜଡ଼ିତ ୫ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗଦେବେ । ଜାତୀୟ ସୁରକ୍ଷାର ଉପ ପରାମର୍ଶଦାତା ଏବଂ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଭାଗ ନେବେ । 2026 ସୁଦ୍ଧା ଦେଶରୁ ମାଓବାଦକୁ ସମୂଳେ ବିନାଶ କରିବାକୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଛି । ମାଓବାଦୀ ହିଂସା ଓ ଅସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିବାକୁ ଆହ୍ବାନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ୨୦୨୪ ମସିହାରୁ ଏପର୍ଯ୍ୟନ୍ତ ୨୦୨ ସଶସ୍ତ୍ର ଏଲଡବ୍ଲୁଇ କ୍ୟାଡରଙ୍କୁ ନିପାତ କରିବାରେ ସୁରକ୍ଷା ବାହିନୀକୁ ଅଭୂତପୂର୍ବ ସଫଳତା ମିଳିଛି ।
୨୦୨୪ର ପ୍ରଥମ ୯ ମାସରେ ୭୨୩ ଜଣ ଏଲଡବ୍ଲୁଇ କ୍ୟାଡର ଆତ୍ମସମର୍ପଣ କରିଛନ୍ତି ଏବଂ ୮୧୨ ଜଣଙ୍କୁ ଗିରଫ କରାଯାଇଛି। ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୪,୪୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ଏବଂ ପାଖାପାଖି ୬ ହଜାର ମୋବାଇଲ ଟାୱାର ସ୍ଥାପନ କରାଯାଇଛି । ମୋଦି ସରକାରଙ୍କ ରଣନୀତି ଯୋଗୁଁ ଏଲଡବ୍ଲୁଇ ହିଂସା ୭୨% କମିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୬% କମିଛି ।