ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲି ସେ ଜାଣିସାରିଲେଣି । ହେଲେ ବି ଚେଷ୍ଟା ଚଳାଇଛନ୍ତି । ଲୋକ ଦେଖାଣିଆ ସଭାସମିତି କରୁଛନ୍ତି । କିନ୍ତୁ ସଭାରେ ଚେୟାର କେମିତି ଖାଲି ପଡୁଛି ସେ ଦୃଶ୍ୟ ଅନେକ ଥର ସାମ୍ନାକୁ ଆସିଲାଣି । ସେଇଥି ଲାଗି ଚିନ୍ତାରେ ନଂ-୨ ଆସନ ଅର୍ଥାତ୍ କୋରେଇରେ ଯେସ୍ତେକେସ୍ତେ ବିଜୟ ହେବାକୁ ଚେଷ୍ଟା ଚଳାଇଛନ୍ତି ବବି । ପାଖାପାଖି ୫ କୋଟି ଟଙ୍କା ଭାଗଭାଗ କରି ବାଣ୍ଟୁଥିବାର ଖବର ଏବେ ସାମ୍ନାକୁ ଆସୁଛି । ଯାହାକୁ ନେଇ ସୋସିଆଲ ମିଡିଆରେ ବି ବବିଙ୍କୁ ଟ୍ରୋଲ କରାଯାଉଛି ।
ଯାଜପୁରରୁ ଜବତ ୫ କୋଟି ଟଙ୍କା ବବିଙ୍କର ? ମାଆଙ୍କୁ ଜିତାଇବାକୁ କଳା ଟଙ୍କା ବାଣ୍ଟୁଥିଲେ କି ବବି ? ଧରାପଡିବା ପରେ ଦୋଷ ମାନିବାକୁ ଲକ୍ଷାଧିକ ଟଙ୍କା ଦିଆଯାଇଥିବା ନେଇ ସଙ୍ଗୀନ ଅଭିଯୋଗ । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଯାଜପୁରରୁ ଲଗାତାର ୩ ଥର ବିଧାୟକ ହେବା ପରେ ବି ଏଥର ପାଣ୍ଡିଆନ ତାଙ୍କୁ ଯାଜପୁର ଆସନ ଦେଲେ ନାହିଁ । ବରଂ ସମ୍ବଲପୁରକୁ ପଠାଇଦେଲେ ଯେଉଁଠି ସେ ହାରିବା ଥୟ । ଏକଥା ଦଳ, ବବି ଓ ପାଣ୍ଡିଆନ ସମସ୍ତେ ଜାଣିଛନ୍ତି । ହେଲେ ବି ସମ୍ବଲପୁରରେ ଲୋକସଭା ପ୍ରାର୍ଥୀ କରିଛନ୍ତି । କଥା ହେଲା ସମ୍ବଲପୁରରୁ ସେ ହାରୁଥିବାରୁ ତେଣୁ କୋରେଇ ଜିତିବାକୁ ବବି ଖଟାଉଛନ୍ତି ସବୁ ଶକ୍ତି । କଳେ ବଳେ କୌଶଳେ ନିର୍ବାଚନ ବୈତରଣୀ ପାର ହେବାକୁ ସେ ଟଙ୍କା ବାଣ୍ଟି ଭୋଟ୍ କିଣିବା ପରି ହୀନ ଚକ୍ରାନ୍ତ କରିବାକୁ ବି ପଛାଇନାହାନ୍ତି । ଏ କଥା ଆମେ ନୁହେଁ ବରଂ ଅଭିଯୋଗ କରିଛନ୍ତି ବିରୋଧୀ ।
ମୋଟ୍ ଉପରେ ଦୁଇ ଦିନ ତଳେ ଯାଜପୁରର ଜଣେ ଠିକାଦାରଙ୍କ କାରରୁ ରାଜଧାନୀରେ ଜବତ ହୋଇଥିଲା ୫ କୋଟି ଟଙ୍କା । ଭୁବନେଶ୍ଵର ଷ୍ଟେଟ୍ ବ୍ୟାଙ୍କ ମେନ୍ ବ୍ରାଞ୍ଚରେ ଏହି ସବୁ ଟଙ୍କା ବି ଗଣାଗଲା । ବିଜେପି କହିଛି ଟଙ୍କା ଜବତ ହୋଇଥିବା କାରର ମାଲିକ ଠିକାଦାର ନିହାର ମହାନନ୍ଦ ବବି ଦାସଙ୍କ ଖାସ୍ ଅନୁଗତ । ଯାଜପୁର ଜିଲ୍ଲାରେ ହଜାର ହଜାର କୋଟି ଟଙ୍କାର ପାହାଡ଼ କେଳେଙ୍କାରୀରେ ରହିଛି ଏହି ଠିକାଦାରଙ୍କ ହାତ । ଆଉ ସେ ଟଙ୍କା ସବୁ ଯାଉଥିଲା କୋରେଇକୁ । ଯଦି ଏହା ସତ ହୋଇଥାଏ ତାହାଲେ ସାଙ୍ଘାତିକ ।
କେବଳ କୋରେଇ ନୁହେଁ ସାରା ଓଡ଼ିଶାରେ ବିଜେଡିକୁ ଘାରିଛି ପରାଜୟ ଭୟ। କଳ ବଳ ସବୁ ପ୍ରୟୋଗ କରି ବି ଭୋଟରଙ୍କୁ ମନାଇବାରେ ବିଫଳ ବିଜୁ ଜନତା ଦଳ । ଏବେ ଶାସକ ଦଳ ପାଇଁ ଶେଷ ଅସ୍ତ୍ର ପାଲଟିଛି ଟଙ୍କା। ସାରା ରାଜ୍ୟରୁ ସାମ୍ନାକୁ ଆସୁଛି ବିଜେଡି ଟଙ୍କା ବଣ୍ଟା କେଳେଙ୍କାରୀର ଚିତ୍ର। ଶାସକ ଦଳ ଖୁଲମଖୁଲ୍ଲା ଟଙ୍କା ବାଣ୍ଟୁଛି ସେମାନଙ୍କର କୋଟି କୋଟି ଟଙ୍କା ଧରାପଡୁଛି।