ଏପ୍ରିଲ୍ 26ରେ ମାସର ଶେଷ ରବିବାର ହେଉଥିବା ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମନ୍ କି ବାତ' କାର୍ଯ୍ୟକ୍ରମରେ ନିଜର ଭାବନା ଦେଶବାସୀଙ୍କୁ ବାଣ୍ଟିବେ । ଏହା ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମର 64 ତମ ଏପିସୋଡ ବା ଅଧ୍ୟାୟ । ଏହି ଏପିସୋଡରେ ସେ ଲୋକଙ୍କୁ ନିଜର କଥା ରଖିବାକୁ ଆମନ୍ତ୍ରଣ କରିଛନ୍ତି । ଏହି ଅଧ୍ୟାୟରେ ଲୋକମାନେ ଯେଉଁ ପ୍ରସଙ୍ଗରେ ନିଜର କଥା, ବାର୍ତ୍ତା , ଆଇଡିଆ ରଖିବେ ତାହାକୁ ଲୋକଙ୍କ ପାଖରେ ପ୍ରଧାନମନ୍ତ୍ରୀ ପହଁଚାଇବେ ବୋଲି ଅଲ୍ ଇଣ୍ଡିଆ ରେଡିଓ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି।
ଲୋକମାନେ ସେମାନଙ୍କର କଥା କୁ ରେକର୍ଡ କରିବାକୁ 1800-11-7800 ଡାଏଲ୍ କରିପାରିବେ ଏବଂ NaMo ଆପ୍ ଓପନ୍ ଫୋରମ୍ କିମ୍ବା MyGov ରେ ଲେଖିପାରିବେ ବୋଲି କୁହାଯାଇଛି । ଲୋକମାନେ 1922 ରେ ଏକ ମିସ୍ କଲ୍ ମଧ୍ୟ ଦେଇପାରିବେ ଏବଂ ସିଧାସଳଖ ସେମାନଙ୍କ ପରାମର୍ଶ ଦେବାକୁ SMSରେ ପ୍ରାପ୍ତ ଲିଙ୍କକୁ ଅନୁସରଣ ମଧ୍ୟ କରିପାରିବେ । ଲୋକମାନେ 25 ଏପ୍ରିଲ ପର୍ଯ୍ୟନ୍ତ ସେମାନଙ୍କର ଧାରଣା ବାଣ୍ଟିପାରିବେ ।
ପ୍ରଧାନମନ୍ତ୍ରୀଙ୍କ ଶେଷ ପର୍ଯ୍ୟାୟ ମନ କି ବାତ ରେ କରୋନା ଭାଇରସ ମହାମାରୀ ଉପରେ ଧ୍ୟାନ ଦେଇଥିଲେ, ଯେଉଁଥିରେ ସେ ଦେଶରେ ସମ୍ପୂର୍ଣ୍ଣ ତାଲା ପକାଇବାକୁ ନିର୍ଦ୍ଦେଶ ଦେଇ ଲୋକଙ୍କୁ ଅସୁବିଧାରେ ପକାଇ କ୍ଷମା ମାଗିଥିଲେ। କରୋନା ଭାଇରସ ବିରୋଧରେ ଜୀବନ ଏବଂ ମୃତ୍ୟୁର ଅନ୍ୟତମ ଲଢେଇ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।
ଗତ କିଛି ଦିନ ମଧ୍ୟରେ ଅନ୍ତତ ପକ୍ଷେ ଚାରିଥର କରୋନା ଭାଇରସ୍ ଆକ୍ରାନ୍ତ ପ୍ରସଙ୍ଗରେ ମୋଦୀ ଦେଶକୁ ସମ୍ବୋଧିତ କରିସାରିଛନ୍ତି। ମାର୍ଚ୍ଚ 22 ତାରିଖରେ ଜନତା କର୍ଫ୍ୟୁ, ମାର୍ଚ୍ଚ 24 ତାରିଖରେ ପ୍ରଥମ ପର୍ଯ୍ୟାୟ ଲକ୍ ଡାଉନ୍ ଏବଂ ଏପ୍ରିଲ 14 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଏବଂ ମଝିରେ କରୋନା ଯୁଦ୍ଧାଙ୍କ ପାଇଁ ଘରେ 9 ମିନିଟ ପାଇଁ ଦୀପ ଜଳିବାକୁ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ ।
