ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶିକ୍ଷା ନିର୍ଦ୍ଦେ ଶକଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍ୟ ସରକାର । ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ପରାମର୍ଶ ଦେବ ଟାସ୍କ ଫୋର୍ସ । ଏହି ଟାସ୍କ ଫୋର୍ସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପଞ୍ଚାୟତିରାଜ, ମହିଳା ଓ ଶିଶୁ କଲ୍ୟାଣ, ଅର୍ଥ, ଦକ୍ଷତା ବିକାଶ, କ୍ରୀଡା, ଉଚ୍ଚ ଶିକ୍ଷା, ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ସଦସ୍ୟ ଅଛନ୍ତି । ଏହାସହ ଜାତୀୟ ଶିକ୍ଷା ନୀତି 2020ର ନୋଡାଲ ଅଫିସର ତଥା ଏସସିଇଆରଟିର ନିର୍ଦ୍ଦେଶକ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରିଂସିପାଲଙ୍କୁ ମଧ୍ୟ ସଦସ୍ୟ ଭାବେ ମନୋନୀତ କରାଯାଇଛି ।
ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସଂଯୋଜକ ଅଛନ୍ତି । ଏହାସହ ଟାସ୍କ ଫୋର୍ସରେ ବିଶେଷଜ୍ଞ ସଦସ୍ୟ ଭାବେ ୟୁନିସେଫ୍, ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନ, ଅକ୍ଷର ଫାଉଣ୍ଡେସନ, ଲାଙ୍ଗୁଏକ ଲର୍ଣିଂ ଫାଉଣ୍ଡେସନ, ପ୍ରଥମ ଭଳି ସଂସ୍ଥାରୁ ନିମନ୍ତ୍ରିତ ସଦସ୍ୟ ମାନେ ମଧ୍ୟ ପରାମର୍ଶ ଦେବେ । ଏହାସହ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ଲାଗି 6 ଜଣିଆ ଥିମେଟିକ ସବ କମିଟିର ମଧ୍ୟ ପୁନଃ ଗଠନ କରିଛନ୍ତି ସରକାର । ଏହି ସବ କମିଟି ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ଏକ ଡ୍ରାଫ୍ଟ ପଲିସି ପ୍ରସ୍ତୁତ କରିବେ । ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ଅଧ୍ୟକ୍ଷତାରେ ଗଠିତ ହେଲା ସବ କମିଟି।