ଉଦ୍ୟୋଗପତି ମୁକେଶ ଅମ୍ବାନି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଭାରତ ସମେତ ବିଦେଶରେ ମଧ୍ୟ ଜେଡ ପ୍ଲସ ସୁରକ୍ଷା ଦିଆଯିବ। ଏପର୍ଯ୍ୟନ୍ତ ଏହି ସୁରକ୍ଷା ଖର୍ଚ୍ଚ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଠାଉଥିଲା। ଏବେ ଅମ୍ବାନି ପରିବାର ଏହି ଖର୍ଚ୍ଚକୁ ଉଠାଇବେ। ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଜେଡ ପ୍ଲସ ବର୍ଗ ସୁରକ୍ଷାରେ ପ୍ରତି ବ୍ୟକ୍ତି ପିଛା ମାସିକ ପ୍ରାୟ ୪୦ରୁ ୪୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ସିଆରପିଏଫର ୫୮ କମାଣ୍ଡୋ ମୁକେଶ ଅମ୍ବାନି ଏବଂ ତାଙ୍କ ପରିବାରର ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ଏହି କମାଣ୍ଡୋ ଜର୍ମାନୀରେ ପ୍ରସ୍ତୁତ ହେଫଲର ଆଣ୍ଡ କୋଚ ଏମପି ୫ ସବମେସିନ ଗନ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପ୍ରସ୍ତୁତ ହୋଇ ରହିଛନ୍ତି। ଏମାନେ ଧରୁଥିବା ଗୋଟିଏ ଗନରୁ ମିନିଟକୁ ୮୦୦ ରାଉଣ୍ଡ ଗୁଳି ଫୁଟିପାରିବ।
ଉଲ୍ଲେଖଯୋଗ୍ୟ ଜେଡ ପ୍ଲସ ସୁରକ୍ଷା ହେଉଛି ଭିଭିଆଇପି ବର୍ଗରେ ସର୍ବୋଚ୍ଚ ସୁରକ୍ଷା। ସିଆରପିଏଫ ବାଦ ମୁକେଶ ଅମ୍ବାନିଙ୍କ ନିକଟରେ ୧୫ରୁ ୨୦ ବ୍ୟକ୍ତିଗତ ସୁରକ୍ଷାକର୍ମୀ ରହିଛନ୍ତି। ଏମାନେ ବିନା ହତିଆରରେ ରହିଥାନ୍ତି। ଏମାନେ ଇସ୍ରାଏଲର ଏକ ନିରାପତ୍ତା ଫାର୍ମରୁ ତାଲିମ ନେଇଛନ୍ତି। ଗାର୍ଡସ ମାନେ ଇସ୍ରାଏଲର ମାର୍ସାଲ ଆର୍ଟ କୌଶଳ ଶିଖିଛନ୍ତି। ସୁରକ୍ଷାକର୍ମୀ ସିଫ୍ଟରେ କାମ କରୁଥିବାବେଳେ ଏମାନଙ୍କ ମଧ୍ୟରେ ସେନା ଏବଂ ଏନଏସଜିର ଅବସରପ୍ରାପ୍ତ ଅଧିକାରୀ ମଧ୍ୟ ରହିଛନ୍ତି।