ଇନ୍ଦୋର: କଂଗ୍ରେସ ନେତା ଦିଗ୍ବିଜୟ ସିଂହ ପ୍ରତିଥର ଭଳି ଏଥର ମଧ୍ୟ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସାରା ଦେଶ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍କୁ ନେଇ ଗର୍ବ କରୁଥିବା ବେଳେ ଏବଂ ଅଭିନନ୍ଦନ ପାକିସ୍ତାନରୁ ସୁରକ୍ଷିତ ଭାରତ ଫେରିଆସିଥିବା ନେଇ ଉତ୍ସବ ମନାଉଥିବା ବେଳେ ଦିଗ୍ବିଜୟ କିନ୍ତୁ ରାଜନୀତି କରିବାକୁ ଭୁଲି ନାହାନ୍ତି । ସେ ବାୟୁସେନାର ଏୟାର ଷ୍ଟ୍ରାଇକ୍ ନେଇ ପ୍ରମାଣ ମାଗିଛନ୍ତି ।
ଦିଗ୍ବିଜୟଙ୍କ ଅନୁସାରେ ଯେପରି ଆମେରିକା ଓସାମା ଅପରେଶନର ଠୋସ୍ ପ୍ରମାଣ ଦେଇଥିଲା, ସେହି ପରି ଭାରତ ସରକାରଙ୍କୁ ମଧ୍ୟ ପାକ୍ ସୀମାରେ ବାୟୁସେନାର ଏୟାର ଷ୍ଟ୍ରାଇକ୍ର ପ୍ରମାଣ ଦେବା ଉଚିତ । ସୂଚନା ଯେ, ଫେବୃଆରୀ 26ରେ ବାୟୁସେନାର ମିରାଜ୍-2000 ବିମାନ ପାକିସ୍ତାନୀ ସୀମା ପାର କରି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା । ରିପୋର୍ଟ ଅନୁସାରେ ଏୟାର ଷ୍ଟ୍ରାଇକ୍ରେ 350 ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏନେଇ ଫେବୃଆରୀ 27ରେ ପାକିସ୍ତାନ ପକ୍ଷରୁ ମଧ୍ୟ ଭାରତକୁ ପ୍ରତି ଆକ୍ରମଣ କରାଯାଇଥିଲା । ଫଳରେ ଭାରତୀୟ ମିଗ୍ 21 ବିମାନ ପାକ୍ର ଏଫ୍ 16 ବିମାନକୁ ହରାଇ ଧ୍ୱଂସ କରିଦେଇଥିଲା ।
ଏନେଇ କଂଗ୍ରେସ ନେତା ଦିଗ୍ବିଜୟ ସିଂହ କହିଛନ୍ତି ଯେ, “ପାକିସ୍ତାନର ଆତଙ୍କୀ ଆଡ୍ଡାରେ ଭାରତୀୟ ବାୟୁସେନାର ଆକ୍ରମଣ ନେଇ ମୁଁ ପ୍ରଶ୍ନ ଉଠାଉନି । ତେବେ ମୁକ୍ତରେ କରାଯାଇଥିବା କୌଣସି କାର୍ଯ୍ୟାନୁଷ୍ଠାର ଫଟୋଚିତ୍ର ସେଟେଲାଇଟ୍ ଟେକ୍ନୋଲୋଜୀ ଜରିଆରେ ମିଳିପାରିବ । ଏଣୁ ମୋଦି ସରକାରଙ୍କୁ ଏହାର ପ୍ରମାଣ ଦେବା ଉଚିତ । ”
ସେହିପରି ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଭାରତକୁ ଫେରାଇଥିବାରୁ ଦିଗ୍ବିଜୟ ପାକ୍ ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ସେ କହିଛନ୍ତି ଯେ, ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଅଭିନନ୍ଦନଙ୍କୁ ମୁକ୍ତ କରି ସେ ଜଣେ ଭଲ ପଡୋଶୀ ବୋଲି ପ୍ରମାଣ କରିଛନ୍ତି । ବର୍ତ୍ତମାନ ସେ ଆତଙ୍କୀ ହାଫିଜ୍ ସଈଦ୍ ଏବଂ ମସୁଦ୍ ଅଜହରକୁ ଭାରତକୁ ହସ୍ତାନ୍ତର କରି ନିଜ ବାହାଦୁରୀର ପରିଚୟ ଦେବା ଆବଶ୍ୟକ ।