ଅର୍ଗସ ବ୍ୟୁରୋ: ବିଜେଡିର ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପର୍ଦ୍ଦାଫାଶ ହେଉଛି । ଖାସ କରି ନିର୍ବାଚନ ପୂର୍ବରୁ ପଂଚାୟତରୁ ବ୍ଲକକୁ ଯୋଡିବାକୁ ଲକ୍ଷ୍ମୀବସ୍ ଯୋଜନା କରିଥିଲେ ପୂର୍ବ ସରକାର । ହେଲେ ସେହି ଯୋଜନାରେ କୋଟି କୋଟି ଆତ୍ମସାତ୍ ହୋଇଥିବା ଜଣାପଡିଛି । ଇଏ ତ ଗଲା ଅନୁଗୁଳର କଥା । ପୁରା ରାଜ୍ୟରେ ଲକ୍ଷ୍ମୀବସ୍ ଯୋଜନାରେ କୋଟି କୋଟି ଦୁର୍ନୀତି ସହ କ୍ଷତିରେ ଏହି ଯୋଜନା ଚାଲିଥିଲା ଗୃହରେ ଉତ୍ତର ଦେଇ କହିଥିଲେ ମନ୍ତ୍ରୀ ।
ରାଜ୍ୟରେ ପୂର୍ବ ବିଜେଡି ସରକାର ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ମୀବସ ଯୋଜନା କରିଥିଲେ । ବସ ଚାଲିବା ପରେ ଲୋକଙ୍କ ସୁବିଧା ହେଲା ସେଥିରେ କୌଣସି ଦ୍ଵିମତ ନାହିଁ । ହେଲେ ସେହି ଯୋଜନାରେ କେମିତି କୋଟି କୋଟି ଖାଇଛନ୍ତି ବିଜେଡି ନେତା ତାହାର ଏବେ ଗୁମର ଖୋଲୁଛି । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକରେ ୩୪ଟି ପଞ୍ଚାୟତ ଥିବା ବେଳେ ସବୁ ପଞ୍ଚାୟତକୁ ସଂଯୋଗ କରିବାକୁ ୩ଟି ବସ୍ ଚଳାଚଳ ପାଇଁ ରୋଡ ମ୍ୟାଫ୍ ପ୍ରସ୍ତୁତ ହେଲା, ବସ ବି ଚାଲିଲା । ହେଲେ ଅନେକ ପଞ୍ଚାୟତକୁ ଯୋଜନା ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ବସ୍ ଗଡି ନଥିବା ଜଣାପଡିଛି । ଛେଣ୍ତିପଦା ବ୍ଲକରେ ୫୮ ଟି ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବା ବେଳେ ସନ୍ତରାବନ୍ଧ , ତେଣ୍ଟୁଲୋଇ ଓ ଗଡମଣ୍ତଳରେ ପୁରୁଣା ବସଷ୍ଟାଣ୍ଡରେ କେବଳ କଲର ଓ ବୋର୍ଡ ଲଗାଇ ଟଙ୍କା ଆତ୍ମସାତ କରିଛନ୍ତି ଠିକାଦାର ।
ବସଷ୍ଟାଣ୍ଡ ତିଆରି ହେବାର ୬ ମାସ ହୋଇନି କାନ୍ଥ ଫାଟି ଆଁ କଲାଣି । କାରଣ ଇଏ ନୂଆ ବସଷ୍ଟାଣ୍ଡ ନୁହେଁ ବରଂ ପୁରୁଣା ବସଷ୍ଟାଣ୍ଡରେ କେବଳ ରଙ୍ଗ ମାରିଦିଆଯାଇଛି । ବାହାଳସାହି , କଣଲୋଇ ,ଉଗୀ ଓ ତୁକୁଡା ବସଷ୍ଟାଣ୍ଡ ନିର୍ମାଣ ୬ମାସ ନପୁରୁଣୁ ଫାଟିବା ସହ ଟାଇଲ୍ସ ଛାଡିଗଲାଣି । ଆଜି ବି କେନ୍ଦୁପଶି , ବଡବେରଣା ,ବରପଦା ହାଟ ,ବାଗଡିଆ ଓ ନୂଆଁଗା ବସଷ୍ଟାଣ୍ଡ ଅଧାରେ ପଡିରହିଛି । ଉଗୀ ଗାଁରେ ବସଷ୍ଟାଣ୍ଡ ନିର୍ମାଣ ହୋଇଛି ସତ ହେଲେ ଗାଁକୁ ଗୋଟିଏ ଦିନ ବସ ଯାଇନାହିଁ । ବର୍ତ୍ତମାନ ୨୧ ବସଷ୍ଟାଣ୍ଡ ନିର୍ମାଣ ସରିଥିବା ବେଳେ ସେଥିରେ ୩ଟି ପୁରୁଣା ବସଷ୍ଟାଣ୍ଡ ରହିଛି । ୫ଟି ନିର୍ମାଣଧିନ ଅବସ୍ଥାରେ...ତେଣୁ ଦୁର୍ନୀତି କେମିତି ହୋଇଛି ତାହା କାହାକୁ ଅଛପା ନାହିଁ ।
ଅଭିଯୋଗ ଅନୁସାରେ, ଆବାସ ଯୋଜନାରେ ଲୋକଙ୍କୁ ମିଳୁଛି ଲକ୍ଷେ ୬୦ ହଜାର ଟଙ୍କା । ହେଲେ ଲକ୍ଷ୍ମୀବସ ଷ୍ଟାଣ୍ଡର କାନ୍ଥ ପାଇଁ ମିଳିଥିଲା ୫ ଲକ୍ଷ ୨୦ ହଜାର । ଥରେ ଅନୁମାନ କରନ୍ତୁ ଯେଉଁଠି ଲକ୍ଷେ ୬୦ ହଜାରରେ ଘର ହେଉଛି ସେଇଠି ୫ ଲକ୍ଷ ୨୦ ହଜାର ଟଙ୍କାରେ କାନ୍ଥ କେମିତି ହୋଇପାରୁନି ? ଏମିତିକି କାନ୍ଥ ପାଇଁ ଟଙ୍କା ଦେଇ ଦୁର୍ନୀତି କରିବା ଅପେକ୍ଷା ସେହି ଟଙ୍କା ଲୋକଙ୍କୁ ଦେଲେ ହିତାଧିକାରୀ ଲାଭବାନ ହେବେ ବୋଲି ଲୋକେ କହୁଛନ୍ତି ।