ସୁରତ କୋର୍ଟଙ୍କ ରାୟ ପରେ ଆଜି ଯେତେବେଳେ ସାମ୍ବାଦିକ ମାନେ କେନ୍ଦ୍ର ମନ୍ତ୍ରୀ ରିଜିଜୁଙ୍କ ଠାରୁ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ସେତେବେଳେ ରିଜିଜୁ କହିଥିଲେ – ରାହୁଲ ଗାନ୍ଧୀ ଯାହା ମଧ୍ୟ କହିଥାନ୍ତି ତା ଦ୍ୱାରା କ୍ଷତି ହୁଏ । ଏହା କେବଳ କଂଗ୍ରେସ ପାର୍ଟିକୁ କ୍ଷତି କରି ଥାଏ ତା ନୁହେଁ ବରଂ ଅନ୍ୟ ମାନଙ୍କୁ ମଧ୍ୟ କ୍ଷତି ପହଂଚାଇଥାଏ । ଏହା ଦେଶ ପାଇଁ ଆଦୌ ଭଲ ନୁହେଁ ।
ଅଧିକ ପଢନ୍ତୁ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଶାସ୍ତି-ଆଶ୍ବସ୍ତି
ଶ୍ରୀ ରିଜିଜୁ ଆହୁରି କହିଛନ୍ତି ଯେ କଂଗ୍ରେସର କିଛି ସାଂସଦ ମଧ୍ୟ ତାଙ୍କୁ ଏ ବିଷୟରେ କହିଛନ୍ତି । କଂଗ୍ରେସର ସାଂସଦ ମାନେ ମଧ୍ୟ ଏ ନେଇ ଚିନ୍ତିତ ଅଛନ୍ତି । କଂଗ୍ରେସ ସାଂସଦ ମାନଙ୍କର ମଧ୍ୟ କହିବା କଥା ଯେ ରାହୁଲ ଗାନ୍ଧୀଙ୍କର ଏହି ଆଭିମୁଖ୍ୟ କାରଣରୁ କଂଗ୍ରେସ ଦଳ ବୁଡୁଛି । ସେମାନେ ମୋତେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀ କାରଣରୁ ଅନେକ ଜିନିଷ ଖରାପ ହୋଇ ସାରିଲାଣି । ଏହା ଦ୍ୱାରା ପାର୍ଟିକୁ ଖୁବ କ୍ଷତି ଘଟୁଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ 2019 ମସିହାରେ ରାହୁଲ ଗାନ୍ଧୀ କର୍ଣାଟକରେ ଏକ ନିର୍ବାଚନୀ ସଭାରେ ମୋଦି ସରନେମ ବିରୁଦ୍ଧରେ ମନ୍ତବ୍ୟ ଦେଇଥିଲେ । ସେ ପ୍ରଶ୍ନ କରିଥିଲେ ଯେ ସମସ୍ତ ଚୋରଙ୍କ ସରନେମ ମୋଦି କିପରି ହୋଇଥାଏ । ଏହା ବିରୁଦ୍ଧରେ ବିଜେପି ବିଧାୟକ ପୂର୍ଣେଶ ମୋଦି ଅଭିଯୋଗ କରିଥିଲେ ଓ କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାରେ ସୁରତର ସାଂସଦ ଦର୍ଶନା ଜରଦୋଷ କହିଛନ୍ତି ଯେ ତାଙ୍କୁ ନ୍ୟାୟ ପ୍ରକ୍ରିୟା ଉପରେ ସଂପୂର୍ଣ ବିଶ୍ୱାସ ଥିଲା ଓ ଆଜି କୋର୍ଟ ଏହି ମାମଲାରେ ନ୍ୟାୟ କରିଛନ୍ତି । ଅନ୍ୟ ପକ୍ଷରେ ବିଜେପି ପ୍ରଦେଶ ଅଧ୍ୟକ୍ଷ ସିଆର ପାଟିଲ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କର ତାଙ୍କର ଭାଷା ଉପରେ ଆଦୌ ନିୟନ୍ତ୍ରଣ ନାହିଁ। ତାଙ୍କର ଏହି ବକ୍ତବ୍ୟ କାରଣରୁ ମୋଦୀ ସମାଜରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା ।