ତେବେ କଣ ଏହି ଘୋଟାଲା ? କାହିଁକି ଏହା ବିରୋଧରେ ଏତେ ବଡ଼ ରାୟ ଶୁଣାଇଲେ ହାଇକୋର୍ଟ ? ପ୍ରକୃତରେ ଶିକ୍ଷକ ନିଯୁକ୍ତି ଘୋଟାଲା ମମତା ସରକାରର ସର୍ବବୃହତ ଘୋଟାଲା ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ଯାହାର ସରଗନା ବା ମାଷ୍ଟରମାଇଣ୍ଡ ଥିଲେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ । ସେତେବେଳେ ପାର୍ଥଙ୍କ ଘର ସହ ବାନ୍ଧବୀ ଅର୍ପିତାଙ୍କ ଘରୁ କେମିତି ମୋଟା ଅଙ୍କର ଟଙ୍କା ଜବତ ହୋଇଥିଲା ତାହା ହୁଏତ ସମସ୍ତଙ୍କର ମନେ ଥିବ । ୨୦୧୪ ମସିହାରେ WBSSC ପକ୍ଷରୁ ଶିକ୍ଷକ ଭର୍ତ୍ତି ପାଇଁ ନିଯୁକ୍ତି ପ୍ରକାଶ ପାଇଥିବା ବେଳେ ଷ୍ଟେଟ୍ ଲେଭଲ୍ ସିଲେକ୍ସନ ଟେଷ୍ଟ ବା SLST ମାଧ୍ୟମରେ ଚୟନ ପ୍ରକ୍ରିୟା ସମ୍ପାଦିତ ହେବାର ଥିଲା । ହେଲେ ରେଜଲ୍ଟ ପ୍ରକାଶ ହେବା ପରେ ଚାକିରି ପାଇଥିବା କେଉଁ ପ୍ରାର୍ଥୀଙ୍କ ଓଏମଆର ସିଟ୍ ପୂରା ଖାଲି ଥିଲା ତ ଆଉ କିଏ ପରୀକ୍ଷାରେ ହିଁ ବସି ନ ଥିଲା । ଏମିତିକି ଆବେଦନର ତାରିଖ ସରିବା ପରେ ମଧ୍ୟ କିଛି ପ୍ରାର୍ଥୀ ଆବେଦନ କରି ଚାକିରି ପାଇଥିଲେ ।
WBSSC ଠାରୁ ଆରମ୍ଭ କରି ପାର୍ଥ ଚାଟାର୍ଜୀଙ୍କ ଯାଏଁ ୫ ଲକ୍ଷରୁ ୧୫ ଲକ୍ଷ ଯାଏଁ ଟଙ୍କା କଲେକ୍ସନ କରି ଚାକିରି ବାଣ୍ଟିଥିଲେ । ଫଳରେ ୨୪ ହଜାର ୬୪୦ ପୋଷ୍ଟ ପାଇଁ ୨୩ ଲକ୍ଷ ପିଲା ଆବେଦନ କରିଥିଲେ ବି ଅଯୋଗ୍ୟମାନେ ହିଁ ଚାକିରି ପାଇଥିଲେ । ପରେ କୋର୍ଟ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଜୁଲାଇ ୨୦୨୨ରେ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା ସିବିଆଇ । ତେଣୁ ଆଜିର ଅଦାଲତଙ୍କ ରାୟ ମମତା ସରକାରଙ୍କ ପାଇଁ ସବୁଠୁ ବଡ଼ ଝଟକା ବୋଲି କୁହାଯାଉଛି । ବିଜେପି ମଧ୍ୟ ଏହି ମାମଲାରେ ଆଜି ଖଡ୍ଗହସ୍ତ ହୋଇଛି । ଏହି ମାମଲାରେ ଆର୍ଥିକ ଅନିୟମିତତାକୁ ନେଇ ଇଡି ଖୋଳତାଡ଼ କରୁଥିବା ବେଳେ ଏଯାଏଁ ୩୬୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିସାରିଲାଣି । ତେଣୁ ଯେଉଁ ସରକାର ଶିକ୍ଷକ ନିଯୁକ୍ତିରେ ଏତେ ବଡ଼ ଘୋଟାଲା କରିପାରେ, ଶହଶହ ପିଲାଙ୍କ ଭବିଷ୍ୟତ ସହ ଖେଳିପାରେ, ସେହି ସରକାର ରାଜ୍ୟରେ କେମିତି ଲୋକଙ୍କ ବିକାଶ କଥା ଚିନ୍ତା କରୁଥିବ, ତାହା ଏଇଥିରୁ ହିଁ ଜଳଜଳ ।