ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ନେଇ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଏହାକୁ ନେଇ ହୋଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ନିକଟରେ କେନ୍ଦ୍ର କ୍ୟାବିନେଟର ଗ୍ରୁପ୍ ଅଫ୍ ମିନିଷ୍ଟର୍ସର ବୈଠକରେ ମଧ୍ୟ ଏହା ଉପରେ ଆଲୋଚନା ହୋଇଥିଲା । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଖୋଲିବା ପରେ ବି ଚାଲି ନପାରେ ଟ୍ରେନ । କାରଣ ଏହା ଦ୍ୱାରା ଭୂତାଣୁ ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ହେବ ନାହିଁ ।
ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇ ଦିଆଯାଇଥିବା ଜଣାପଡ଼ିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ କୋଭିଡ -19 ପାଇଁ GOM ବୈଠକ ହୋଇଥିଲା । ବର୍ତ୍ତମାନ ସମୟରେ ଏକାଧିକ ଥର GOM ବୈଠକ ହୋଇସାରିଛି । ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ ମତ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଥିତିର ଆକଳନ ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।
ବର୍ତ୍ତମାନ ପରିସ୍ଥିତିରେ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ କରିବା ସପକ୍ଷରେ ଏକାଧିକ ମନ୍ତ୍ରାଳୟ ନାହାନ୍ତି । ମନ୍ତ୍ରୀମାନେ ବିଶ୍ୱାସ କରନ୍ତି ଯେ ଟ୍ରେନ ଓ ବିମାନରେ ସାମାଜିକ ଦୂରତାକୁ କଡାକଡି ପାଳନ କରିବା ସମ୍ଭବ ନୁହେଁ । ଏୟାର ଇଣ୍ଡିଆ ଏବଂ ପ୍ରାଇଭେଟ ଏୟାରଲାଇନ୍ସକୁ ମଧ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଟିକେଟ ବୁକ୍ କରିବାକୁ କୁହାଯାଇଛି। ।
