୨୦୧୯ରେ ପଡିଥିଲା ମୂଳଦୂଆ । ୨୩ ବିଧାନସଭା ଏବଂ ୮ ଲୋକସଭା ଅକ୍ତିଆର କରିଥିଲା ବିଜେପି । ବିଜେପିକୁ ମିଳିଥିଲା ମୁଖ୍ୟ ବିରୋଧୀ ଦଳର ଦର୍ଜା । ତେଣୁ ୨୦୨୪ ସାଧାରଣ ନିର୍ବାଚନକୁ ମଧ୍ୟ ରୋଚକ ମୋଡକୁ ନେଇ ଓଡିଶାରେ ସରକାର ଗଠନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରୁଛି ବିଜେପି । ଆଉ ଶାହଙ୍କ ଗସ୍ତ ବିଜେପିକୁ ନୂଆ ଇନ୍ଧନ ଯୋଗାଇବ ବୋଲି ଚର୍ଚ୍ଚା ଜୋର ଧରିଛି ।
କାରଣ ଶେଷ ଥର ପାଇଁ ୨୦୨୨ ଅଗଷ୍ଟ ମାସରେ ଶାହଙ୍କ ଓଡିଶା ଗସ୍ତ ପରେ କ୍ଷେତ୍ରୀୟ ପ୍ରଭାରୀ ଭାବେ ଓଡିଶା ବିଜେପିର ଦାୟୀତ୍ଵ ନେଇଥିଲେ ସୁନୀଲ ବଂଶଲ । ତାପରେ ଲଗାତାର ଭାବେ ଓଡିଶା ଗସ୍ତରେ ମାଳମାଳ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସୁଥିବା ବେଳେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଗତ ଡିସେମ୍ବରରେ ଦୁଇଟି ଲୋକସଭା କ୍ଷେତ୍ର ଗସ୍ତ କରି ନେତା ଓ କର୍ମକର୍ତ୍ତାଙ୍କୁ ବିଭିନ୍ନ ଟାସ୍କ ଦେଇଯାଇଛନ୍ତି । ତେବେ ଶାହ ମଧ୍ୟ ମିଶନ ୧୨୦ ପ୍ଲସ ପାଇଁ କର୍ମୀ ମାନଙ୍କୁ ନୂଆ ଫର୍ମୁଲା ଦେବେ ବୋଲି ଆଶା ଅଛି ।
କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ଲୋକସଭା ପ୍ରବାସ ଯୋଜନାରେ ଭଦ୍ରକ ଆସୁଛନ୍ତି । ତେଣୁ ଭଦ୍ରକରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡିଛି । ଶାହ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କୁ ଭେଟିବା ସହ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର । ବିରାଟ ଜନସଭାରେ ସମ୍ବୋଧିତ କରିବେ ଶାହ । ଭଦ୍ରକ ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର କାର୍ଯ୍ୟକର୍ତ୍ତାଙ୍କୁ ୨୪ ମହାସମର ବିଜୟର ଗୁରୁ ମନ୍ତ୍ର ଦେବେ ଅମିତ ଶାହ । ବିଭିନ୍ନ ଐତିହାସିକ ସ୍ଥାନ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
୨୦୧୯ରେ ବିଜେପି ଲୋକସଭାରେ ୮ ଆସନ ସହ ୩୮.୩୭ ପ୍ରତିଶତ ଭୋଟ୍ ପାଇଥିଲା । ବିଜେଡିକୁ ୪୨.୭୬ ପ୍ରତିଶତ ଭୋଟ୍ ଏବଂ କଂଗ୍ରେସକୁ ମିଳିଥିଲା ମାତ୍ର ୧୪.୭୩ ପ୍ରତିଶତ ଭୋଟ । ମାତ୍ର ବିଜେଡି ଓ ବିଜେପି ମଧ୍ୟରେ ଥିଲା ମାତ୍ର ୧୦ ଲକ୍ଷ ଭୋଟର ବ୍ୟବଧାନ । ସେହିପରି ବିଧାନସଭାରେ ବିଜେପିର ଭୋଟ ହାର ଥିଲା ୩୨.୬ ପ୍ରତିଶତ, ବିଜେଡି ୪୪.୮ ପ୍ରତିଶତ ଭୋଟ ପାଇଥିବା ବେଳେ କଂଗ୍ରେସ ପାଇଥିଲା ମାତ୍ର ୧୬.୭ ପ୍ରତିଶତ ଭୋଟ୍ । ତେଣୁ ୨୦୨୪ରେ ୫୦ ପ୍ରତିଶତରୁ ଅଧିକ ଭୋଟ ସହ ସରକାର ଗଠନର ଲକ୍ଷ୍ୟ ରଖିଛି ବିଜେପି ।