ଭୁବନେଶ୍ୱର: କୋରୋନା ଯୋଗୁଁ ମୁକୁଳି ପାରନ୍ତି ରାଜ୍ୟର ବିଭିନ୍ନ ଜେଲରେ ଥିବା ପ୍ରାୟ ୧୭୨୭ ଜଣ ବିଚାରାଧିନ କଏଦି । ଦୋଷୀ ସାବ୍ୟସ୍ତ ବନ୍ଦୀ, ବିଚାରାଧୀନ ଏବଂ ଅଭିଯୁକ୍ତଙ୍କ ପାଇଁ ଏକ ପ୍ରକାର ଆଶିର୍ବାଦ ଭଳି କାମ କରିଛି ଏବେ କରୋନା । ଭାରତୀୟ ଜେଲ ଗୁଡ଼ିକରେ ସାଧାରଣତଃ କ୍ଷମତା ଠାରୁ ଅଧିକ ଅନ୍ତେବାସୀ ରହୁଥିବାରୁ ସେମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଦେଖାଦେଇଛି । ସେହି ଆଶଙ୍କାକୁ ଦୃଷ୍ଟିରେ ରଖି କିଛି ବନ୍ଦୀମାନଙ୍କ ପାଇଁ ଏକ ବଡ଼ ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟଙ୍କ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ।
ଜେଲ ଭିତରୁ ଭିଡ଼ କମେଇବା ପାଇଁ ଏହି କମିଟି ଓଡ଼ିଶା ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଜେଲ ବିଭାଗର ପୁଲିସ୍ ଡିଜିଙ୍କୁ ପାରୋଲ ବ୍ୟବସ୍ଥା କୋହଳ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେହି ଅନୁସାରେ ଯେଉଁ କଏଦିମାନେ ୭ ବର୍ଷ କିମ୍ବା ତା’ଠାରୁ କମ୍ ସମୟ ଲାଗି ଦଣ୍ଡ ପାଇଛନ୍ତି ସେମାନଙ୍କୁ ପାରୋଲରେ ମୁକୁଳେଇବାକୁ ନିଆ ଯାଇଛି ନିଷ୍ପତି । ମାତ୍ର ଯଦି ସମ୍ପୃକ୍ତ କଏଦିଙ୍କ ବିରୁଦ୍ଧରେ ଅନ୍ୟ କୌଣସି ମାମାଲା ବିଚାରାଧିନ ଥିବ ତାହେଲେ ଗତ ପାରୋଲ୍ର ଶୃଙ୍ଖଳାକୁ ବିଚାର କରି ନିଷ୍ପତି ନିଆଯିବ । ଅର୍ଥାତ ଯଦି ପୂର୍ବରୁ ଏହିପରି କୌଣସି କଏଦି ପାରୋଲରେ ଯାଇ ଜେଲର ସମସ୍ତ ସର୍ତ ଶୃଙ୍ଖଳାର ସହ ପାଳନ କରିଥିବେ ସେମାନଙ୍କୁ ଏହି କ୍ଷେତ୍ରରେ ପୁଣି ପାରୋଲରେ ଛଡ଼ାଯାଇ ପାରିବ ।
ତେବେ ଜେଲ ଅଧିକାରୀଙ୍କୁ ମଧ୍ୟ କ୍ଷମତା ଦିଆଯାଇଛି, ଯେଉଁ କଏଦିମାନେ କୋରୋନା ସଂକ୍ରମଣ ପୂର୍ବରୁ ପାରୋଲରେ ଅଛନ୍ତି ସେମାନଙ୍କ ଅବଧି ପୁଣି ବଢ଼ାଇବା ସଂକ୍ରାନ୍ତରେ ନିଷ୍ପତି ନେଇପାରିବେ । ସେହିପରି ଯେଉଁ କଏଦି ମାନଙ୍କର ବୟସ ୬୫ ବର୍ଷରୁ ଅଧିକ ଏବଂ ଗୋଟିଏରୁ ଅଧିକ ମାମଲାରେ ଜଡ଼ିତ ନଥିବେ କିମ୍ବା ଏନ୍ଡିପିଏସ୍ ଆକ୍ଟ, ବଳାତ୍କାର, ଏସିଡ୍ ଆକ୍ରମଣ ଆଉ ପୋକ୍ସୋ ଆକ୍ଟରେ ଦଣ୍ଡିତ ହୋଇନଥିବେ ସେମାନଙ୍କୁ ମଧ୍ୟ ପାରୋଲ ଦିଆଯାଇ ପାରିବ । ତେବେ ଏସବୁ ଅପରାଧିଙ୍କୁ ଯଦି ୭୦ ବର୍ଷରୁ ଅଧିକ ହୋଇଥିବ ଓ ବୟସ ଦୃଷ୍ଟିରୁ କରୋନା ସଂକ୍ରମଣର ଆଶଙ୍କା ଥିବ ତେବେ ଜେଲ ଅଧିକାରୀ ସେମାନଙ୍କୁ ପାରୋଲ ଦେବାପାଇଁ ନିଷ୍ପତି ନେଇପାରିବେ ।
ସେହିପରି ୭ ବର୍ଷ ଦଣ୍ଡ ବ୍ୟବସ୍ଥା ଥିବା ଅପରାଧରେ ଯଦି କୌଣସି ଅଭିଯୁକ୍ତଙ୍କର ବିଚାର ପ୍ରକ୍ରିୟା ଚାଲିଥାଏ ସେମାନଙ୍କୁ ଅନ୍ତରୀଣ ଜାମିନ୍ ଦେବାଲାଗି ଜିଲ୍ଲା ସ୍ତରର ଅଣ୍ଡର ଟ୍ରାଏଲ କମିଟି ନିଷ୍ପତି ନେଇପାରିବେ । ଯେଉଁମାନେ ସେପରି କୌଣସି ଧର୍ତବ୍ୟ ଅପରାଧରେ ଜଡ଼ିତ ନାହାଁନ୍ତି ସେମାନଙ୍କୁ ମଧ୍ୟ ଜାମିନ୍ ଦେବା କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ ।
- କରୋନା ଯୋଗୁଁ ମୁକୁଳି ପାରନ୍ତି ରାଜ୍ୟର ୧୭୨୭ ଜଣ ବିଚାରାଧିନ କଏଦି - ଜେଲରେ ମଧ୍ୟ ଦେଖାଦେଇଛି କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା - ସେଥିପାଇଁ ବଡ଼ ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟଙ୍କ ଉଚ୍ଚ କ୍ଷମତାସମ୍ପନ୍ନ କମିଟି - ଜେଲରେ ଭିଡ଼ କମେଇବା ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛି କମିଟି - ପାରୋଲ ବ୍ୟବସ୍ଥା କୋହଳ କରିବା ପାଇଁ ପରାମର୍ଶ ଦିଆଯାଇଛି - ମୁକୁଳିବେ ୭ ବର୍ଷ ଦଣ୍ଡ ପାଇଥିବା ଦୋଷୀ - ଗୁରୁତର ତଥା ଧର୍ତବ୍ୟ ଅପରାଧରେ ଦଣ୍ଡିତ ଦୋଷୀଙ୍କୁ ମିଳିବନି ପାରୋଲର ସୁବିଧା - ବୟସ୍କ ଦୋଷୀଙ୍କ ପାରୋଲ ପାଇଁ ନିଷ୍ପତି ନେବେ ଜେଲ କର୍ତୁପକ୍ଷ - ବିଚାରାଧିନ କଏଦିଙ୍କ ଜାମିନ୍ ପାଇଁ ନିଷ୍ପତି ନେବେ ଜିଲ୍ଲା ଅଣ୍ଡର ଟ୍ରାଏଲ୍ ରିଭ୍ୟୁ କମିଟି
